ଆଉ ୩ ମାସ ବଢ଼ିଲା ଫାରୁକ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ ଆଉ ୩ମାସ ବୃଦ୍ଧି ପାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଏହି ନିଷ୍ପତି ନେଇଛି ।
ଫାରୁକ ଅବଦୁଲ୍ଲାଙ୍କୁ ଗତ ଅଗଷ୍ଟ ୫ରେ ଗିରଫ କରାଯାଇଥିଲେ ମଧ୍ୟ ଗତ ସେପ୍ଟେମ୍ବର ୧୭ରେ ତାଙ୍କ ବିରୋଧରେ ଜନ ସୁରକ୍ଷା ଆଇନ ଲଗାଯାଇଥିଲା । ଜନ ଶୃଙ୍ଖଳା ଓ ସୁରକ୍ଷା ପାଇଁ ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ତାଙ୍କୁ ଗୃହବନ୍ଦୀ କରାଯାଇଥିଲା । ତେବେ ତାଙ୍କୁ ଗୃହବନ୍ଦୀ କରିବାକୁ ତାଙ୍କ ବାସଭବନକୁ ଏକ ଜେଲ୍‌ ବୋଲି ଘୋଷଣା କରାଯାଇଥିଲା ।

ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀରର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଂଟରନେଟ୍ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ପରେ ପର୍ଯ୍ୟାୟକ୍ରମେ କେତେକ ନେତାଙ୍କୁ ମୁକ୍ତ କରାଯାଇଥିଲେ ମଧ୍ୟ ଫାରୁକ, ତାଙ୍କ ପୁଅ ଓମର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏପର୍ଯ୍ୟନ୍ତ ଗୃହବନ୍ଦୀ ଅଛନ୍ତି ।