ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବି; ରାଜରାସ୍ତାରେ ଧାନବସ୍ତା ରଖି ଅବରୋଧ କରିଲେ ଚାଷୀ

ବରଗଡ଼: ଆଜି ଟୋକନ ମାଧ୍ୟମରେ ଧାନ କିଣା ବ୍ୟବସ୍ଥା ପ୍ରତ୍ୟାହାର ଦାବି କରୁଥିବା ବରଗଡ଼ ଜିଲ୍ଲାର ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।ଆଜି ସକାଳ ୮ଟା ସମୟରେ ଶହଶହ ଚାଷୀ ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗାଠାରେ ୫୩ ନଂ ଜାତୀୟ ରାଜପଥରେ ପ୍ରାୟ ଦୁଇଶହ ଧାନବସ୍ତା ରଖି ରାସ୍ତା ଅବରୋଧ କରିଥିବା ଜଣାଯାଇଛି।ଏହାଫଳରେ ଉଭୟପଟୁ ଗାଡ଼ି ଚଳାଚଳ ସଂପୂର୍ଣ୍ଣଭାବେ ବନ୍ଦ ରହିଥିବାର ସୂଚନା ମିଳିଛି।

ଗତକାଲି ସନ୍ଧ୍ୟାରେ ଚାଷୀ ସଂଗଠନ ସହ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ସମ୍ବଲପୁରସ୍ଥିତ ସର୍କିଟ ହାଉସରେ ବୈଠକ ହୋଇଥିଲା। ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ସମ୍ବଲପୁର ଜିଲ୍ଲାପାଳ, ଡିଆଇଜି, ଏସ୍ ମଧ୍ୟ ଉପସ୍ଥିତ ଥିଲେ,ମାତ୍ର ସେଥିରେ ଚାଷୀ ସଂଗଠନ ସନ୍ତୁଷ୍ଟ ହୋଇନଥିଲେ।

ସୂଚନାଯୋଗ୍ୟ ସୋମବାର ଜିଲ୍ଲାପାଳ କାର୍ଯ୍ୟାଳୟ ଓ ମଙ୍ଗଳବାର ୩ ବିଧାୟକଙ୍କ ଘରେ ଧାନ ବସ୍ତା ରଖି ଚାଷୀମାନଙ୍କ ଦ୍ୱାରା ଅବରୋଧ କରାଯାଇଥିଲା। ଏହା ପରେ ଗୁରୁବାର ଠାରୁ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ପାଇଁ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ନିଷ୍ପତ୍ତି ନେଇଥିଲା। କୃଷକ ସୁରକ୍ଷା ସଂଗଠନ ଟୋକନ ପ୍ରତ୍ୟାହାର ପାଇଁ ପୁନର୍ବାର ପ୍ରଶାସନକୁ ଗୋଟିଏ ଦିନ ସମୟ ଦେଇ ୨୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଥିଲା।