ଭୁବନେଶ୍ଵର:ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁରରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ଚାଷୀ ପ୍ରତିନିଧି ମିଟିଂରେ ଆଲୋଚନା ପରେ ପ୍ରତ୍ୟାହାର ଘୋଷଣା କଲେ ଆବାହକ ଅଶୋକ ପ୍ରଧାନ। ଟୋକନ ବ୍ୟବସ୍ଥାକୁ ସରଳୀକରଣ କରାଯିବା ନେଇ ମନ୍ତ୍ରୀ, ବିଧାୟକଙ୍କ ପ୍ରତିଶ୍ରୁତି ପରେ ଚାଷୀଙ୍କ ବୈଠକ ବସିଥିଲା। ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ନିଷ୍ପତ୍ତି ହୋଇଛି। ଧାନ ସଂଗ୍ରହରେ ଟୋକନକୁ ବିରୋଧ କରି କିଛି ଦିନ ହେବ ଜୋରଦାର ଆନ୍ଦୋଳନ ଚାଲିଥିଲା।
ଏହା ପୂର୍ବରୁ ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁରର ବରେଇ ପାଲିରେ ଚାଷୀ ରାଜରାସ୍ତାକୁ ଓହ୍ଲାଇଥିଲେ। ଟ୍ରାକ୍ଟରରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହା ପରେ ଗ୍ରାମ ଉନ୍ନୟନ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଜେଡ଼ି ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ବରେଇ ପାଲିରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ।
ବୈଠକରେ ମନ୍ତ୍ରୀ ଓ ବିଧାୟକ ଟୋକନ ବ୍ୟବସ୍ଥାରେ ସରଳୀକରଣ କରାଯିବ। ଯେତେ ପରିମାଣରେ ଧାନ ଆଣିଲେ ବି ଚାଷୀ ମଣ୍ଡିରେ ଧାନ ବିକି ପାରିବେ। ସରକାରଙ୍କ ପକ୍ଷରୁ ଚାଷୀଙ୍କ ସବୁ ଧାନ ସଂଗ୍ରହ କରାଯିବ। ଜରୁରୀ ସମୟରେ ଟୋକନ ଜେନେରଟ କରାଯିବ। ଏଥିରେ ଚାଷୀଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ଚାଷୀଙ୍କୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ କୃଷକ ପ୍ରତିନିଧିଙ୍କ ବୈଠକ ବସିଥିଲା। ଏହା ପରେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଛନ୍ତି ଚାଷୀ ନେତା ଅଶୋକ ପ୍ରଧାନ। ଉଲ୍ଲେଖଯୋଗ୍ୟ, ଖରିଫ୍ ଧାନ ସଂଗ୍ରହରେ ସରକାରଙ୍କ ଟୋକନ ବ୍ୟବସ୍ଥା ଉଚ୍ଛେଦ ନହେବା ଯାଏ ଅନିର୍ଦ୍ଦିଷ୍ଟକାଳ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ନେତା କହିଥିଲେ।
ଅନ୍ୟପଟେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ରାଜଧାନୀରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଲି କରାଯାଇଛି। ସଙ୍ଗଠନର ଚାଷୀମାନେ ପିଏମଜିରୁ ବାହାରି ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରା କରିଛନ୍ତି। ଏହି ସମୟରେ ପୁଲିସ ସେମାନଙ୍କୁ ବାଧା ଦେବାରୁ ଶିଶୁଭବନ ଛକରେ ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି।
ଚାଷୀଙ୍କ କହିବା ଅନୁଯାୟୀ, ଯଦି ଚାଷୀଙ୍କ ସୁବିଧାକୁ ଗୁରୁତ୍ଵ ଦିଆଯାଉଛି ତେବେ ଦର ବୃଦ୍ଧି କରାଯାଉ ତାହା ନକରି ସରକାର ଟୋକନ ବ୍ୟବସ୍ଥା କରିଛନ୍ତି। ଯାହା ଫଳରେ ଧାନ ଅମଳ କରି ସାରିଥିବା କିଛି ଚାଷୀଙ୍କୁ ଟୋକନ ମିଳି ନଥିବା ବେଳେ ଅମଳ କରି ନଥିବା କିଛି ଚାଷୀଙ୍କୁ ଟୋକନ ମିଳି ସାରିଛି। ସେହି ସମୟରେ ଟୋକୋନ ବ୍ୟବସ୍ଥା ହେବା ଦ୍ଵାରା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଚାଷୀଙ୍କୁ ଧାନ ଦେବାକୁ ପଡିବ ତେଣୁ ଚାଷୀଙ୍କ ଉପରେ ଚାପ ରହିବ। ଏପରିକି ଟୋକନ ବ୍ୟବସ୍ଥାରେ ମଧ୍ୟ ଅନିୟମିତତା ଦେଖାଯାଉଛି।