ରାଜଧାନୀକୁ ଚାରିପଟୁ ଘେରିଲେ ଚାଷୀ, ମନ୍ତ୍ରୀସ୍ତରୀୟ କମିଟି ଗଠନ

ଭୁବନେଶ୍ୱର : ରାଜଧାନୀକୁ ଦୁଇପଟରୁ ଘେରିଛନ୍ତି ଚାଷୀ । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ୧୬-ନଂ ଜାତୀୟ ରାଜପଥର ଭୁବନେଶ୍ୱର ନିକଟସ୍ଥ ହଂସପାଳ ଓ ତମାଣ୍ଡୋ ନିକଟରେ ଶହଶହ ଚାଷୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀକୁ ଘେରି ରହିଛନ୍ତି । ଫଳରେ ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଛି । ଚାଷୀ ଆନ୍ଦୋଳନ ନିକଟରେ ବିଫଳ ହୋଇଛି ସରକାରଙ୍କ ସମସ୍ତ ପଦକ୍ଷେପ । ଜାତୀୟ ରାଜପଥରେ ୧୪୪ ଧାରା କରିବା ସହିତ ଶହଶହ ଚାଷୀଙ୍କୁ ପୁଲିସ ଗିରଫ କରିଥିଲେ ମଧ୍ୟ ଅନେକ ଚାଷୀ ପୁଲିସ କର୍ଡନ ଭାଙ୍ଗି ରାଜଧାନୀରେ ପ୍ରବେଶ କରିଛନ୍ତି ।

ତେଣେ ସରକାର ଚାଷୀ ସଂଗଠନର ଶକ୍ତି ଦେଖି ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଚାଷୀଙ୍କର କେଉଁ ଦାବି ଉପରେ କି ନିଷ୍ପତ୍ତି ନେବ ତାହା କିନ୍ତୁ ସ୍ଥିର ହୋଇନାହିଁ । ‘ଚାଷୀଙ୍କୁ ରାଜଧାନୀ ମନା, ନେତାଙ୍କୁ ଗାଁ ମନା’ । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋମବାର ଏହି ଆହ୍ୱାନ ଦିଆଯାଇଛି । ଏହି ସଂଗଠନର ଆହ୍ୱାନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀ ପାଦରେ ଚାଲିଚାଲି ଭୁବନେଶ୍ୱର ଆସୁଥିବାବେଳେ ଦୁଇ ଦିନ ହେଲା ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକ ରଖାଯାଇଛି । ସେମାନେ ଯେପରି ଭୁବନେଶ୍ୱରରେ ପଶି ନପାରିବେ, ସେଥିପାଇଁ ସରକାର ଜାତୀୟ ରାଜପଥରେ ୧୪୪ ଧାରା ଜାରି କରିଛନ୍ତି । ତଥାପି ଅନେକ ଚାଷୀ ୧୪୪ ଉଲ୍ଲଙ୍ଘନ କରି ପାଦରେ ଚାଲି ଚାଲି ଭୁବନେଶ୍ୱର ଲୋୟର ପିଏମଜିରେ ପହଞ୍ଚି ସେମାନଙ୍କର ଦାବି ଉପସ୍ଥାପନ କରିବାକୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି ।

ସଂଗଠିତ ଚାଷୀଙ୍କୁ ରବିବାର ସନ୍ଧ୍ୟାରେ ଭେଟିଥିଲେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ସେ ସେମାନଙ୍କୁ ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ ନିବେଦନ କରିଥିଲେ । କିନ୍ତୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅର୍ଥମନ୍ତ୍ରୀଙ୍କୁ କେତେକ ସର୍ତ୍ତ ଦିଆଯାଇଥିଲା । ସରକାର ଏହି ସର୍ତ୍ତ ସବୁ ମାନିଲେ ଚାଷୀମାନେ ଭୁବନେଶ୍ୱର ଉପକଣ୍ଠରୁ ଫେରିଯିବେ ବୋଲି କହିଥିଲେ । ସେଥିପାଇଁ ସରକାରଙ୍କୁ ସୋମବାର ମଧ୍ୟାହ୍ନ ଯାଏଁ ସମୟ ଦିଆଯାଇଥିଲା । କିନ୍ତୁ ଆଲୋଚନା ସମୟରେ ଅର୍ଥମନ୍ତ୍ରୀ ଚାଷୀଙ୍କ ସର୍ତ୍ତ ସେ ପୂରଣ କରିପାରିବେ ନାହିଁ ବୋଲି କହିଥିଲେ । ଚାଷୀମାନଙ୍କୁ ରାଜଧାନୀରେ ପୂରେଇ ନଦେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି । ତଥାପି ଚାଷୀମାନେ ତିନି ଥାକିଆ ପୁଲିସ କର୍ଡନ ଭାଙ୍ଗିବାରେ ସଫଳ ହୋଇଛନ୍ତି । କଟକ ପଟରୁ ହଂସପାଳ ଓ ଖୋର୍ଦ୍ଧା ପଟରୁ ତମାଣ୍ଡୋ ନିକଟରେ ପୁଲିସ ବାହିନୀ ଓ ଚାଷୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ ନବନିର୍ମାଣ କୃଷକ ସଂଗଠନ ଶେଷଦେବ ନନ୍ଦ ଓ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ସମେତ ଶହଶହ ଚାଷୀ ନେତାଙ୍କୁ ଗିରଫ କରିଛି ।

ଚାଷୀ ଆନ୍ଦୋଳନର ରାଜନୀତିକ ଓ ପ୍ରାଶାସନିକ ମୁକାବିଲା ପାଇଁ ସରକାରଙ୍କ ତରଫରୁ ଏକ ମନ୍ତ୍ରୀସ୍ତରୀୟ କମିଟି ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ଅନ୍ୟ ଦୁଇ ସଦସ୍ୟ ହେଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଏହି କମିଟି ନିଜର ଟର୍ମ୍ସ ଅଫ୍ ରେଫରେନ୍ସ ଚୂଡ଼ାନ୍ତ କରିବା ପରେ ତା’ ଉପରେ ଆଲୋଚନା କରିବ । କମିଟି ଗଠନ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଚାଷୀଙ୍କ ସମସ୍ୟା ପ୍ରତି ଯତ୍ନବାନ ଅଛନ୍ତି । ସରକାର ସ୍ୱତନ୍ତ୍ର କୃଷି ବଜେଟ କରିଛନ୍ତି । କୃଷି କ୍ୟାବିନେଟ ଗଠିତ ହୋଇଛି । ଧାନର ସର୍ବନିମ୍ନ ସହାୟକ ଦରବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କଠାରେ ଦାବି କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ମନ୍ତ୍ରୀସ୍ତରୀୟ କମିଟି ଗଠନକୁ ବିଶୁଦ୍ଧ ଛଳନା କହି ପ୍ରତ୍ୟାଖ୍ୟାନ କରିଛନ୍ତି ଚାଷୀ ଆନ୍ଦୋଳନର ନେତା ତଥା ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସେ କହିଛନ୍ତି ଯେ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ଚାଷୀମାନେ ୮ ବର୍ଷ ହେଲା ଆନ୍ଦୋଳନ କରୁଛନ୍ତି । ସରକାରଙ୍କ କମିଟି ଏହି ଦାବି ଗ୍ରହଣ କରିବେ କି? ଏ ସମ୍ପର୍କରେ ଚାଷୀଙ୍କ ସହିତ ସରକାର ଆଲୋଚନା କରିବେ କି? ଭତ୍ତା ପାଇଁ ଏ କମିଟି ଗଢ଼ାଯାଇ ନାହିଁ । ତେଣୁ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବେ ନାହିଁ । ଦାବି ପୂରଣ ହେବା ଯାଏଁ ରାସ୍ତା ଉପରେ ବସି ରହିବେ । ଚାଷୀଙ୍କୁ ଯଦି ରାଜଧାନୀ ମନା ତେବେ ନେତାଙ୍କୁ ଗାଁ ମନା । ଭୋଟ ସମୟରେ ଭୋଟବାକ୍ସ ଗାଁରେ ପୂରେଇ ଦିଆଯିବ ନାହିଁ । ନିର୍ବାଚନ ଅଧିକାରୀ ଓ ନେତାଙ୍କୁ ମଧ୍ୟ ଗାଁରେ ପୂରାଇ ଦିଆଯିବ ବୋଲି ସେ ଦୃଢ଼ ଘୋଷଣା କରିଛନ୍ତ ।

ଅନ୍ୟପକ୍ଷରେ ସରକାରଙ୍କ ପଦକ୍ଷେପକୁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପକ୍ଷରୁ ନାପସନ୍ଦ କରାଯାଇଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଚାଷୀ ଆନ୍ଦୋଳନ ବିରୋଧରେ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଅଗଣତାନ୍ତ୍ରିକ ଓ ଅବୈଧ । ଯେଉଁମାନଙ୍କର ଆନ୍ଦୋଳନର ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ସେମାନେ ଦୁଇ ମାସ ହେଲା କୋର୍ଟ ଅଚଳ କରି ରଖିଥିଲେ ମଧ୍ୟ ସରକାର ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଆନ୍ଦୋଳକୁ ଉସକାଉଛନ୍ତି । ଅଥଚ ଯେଉଁମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି ସେମାନଙ୍କୁ ସେଥିରୁ ନିବୃତ୍ତ କରିବା ପାଇଁ ସରକାର ସର୍ବସାଧାରଣ ରାସ୍ତାରେ ୧୪୪ ଧାରା ଜାରି କରିଛନ୍ତି । ସେହିପରି ବିଜେପି ରାଜ୍ୟସଭାପତି ବସନ୍ତ ପଣ୍ଡା ମଧ୍ୟ ସରକାରଙ୍କ ମୁକାବିଲାମୂଳକ ମନୋଭାବକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଏ ସରକାର ଚାଷୀଙ୍କୁ ବାରମ୍ବାର ଭଣ୍ଡେଇ ଚାଲିଛନ୍ତି ।