କୃଷକଙ୍କ ପ୍ରସଙ୍ଗରେ କମ୍ପୁଛି ରାଜ୍ୟ ରାଜନୀତି, ବିରୋଧୀ କହିଲେ ସରକାରକୁ ଆସିଲେ ଛାଡିବୁ କୃଷିଋଣ, ନବୀନ ବି ଦେଲେ ଋଣ ଛାଡର ଇଶାରା

ଭୁବନେଶ୍ବର : କୃଷକଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ବିରୋଧୀ ଘେରୁଥିବାବେଳେ କୃଷି ଋଣ ଛାଡ ନେଇ ଇଙ୍ଗିତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ପୋଡଶୀ ଛତିଶଗଡ ସରକାର କୃଷି ଋଣ ଛାଡ ସହ ବୋନସ ଦେଇ ରାଜ୍ୟ ସରକାରଙ୍କ ହୋସ ଉଡାଇଦେଇଛନ୍ତି । ବୋନସ ଦେବାରେ ବାଧକ ଅଛି କହି ଏଡେଇ ଚାଲିଥିବା ରାଜ୍ୟ ସରକାର ଏବେ ଦୋଛକିରେ ପଡିଛନ୍ତି । କୃଷକଙ୍କୁ ନେଇ ଚାପରେ ଥିବା ସରକାର ଖୁବ ଶୀଘ୍ର ଏକ ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପଟେ ବିରୋଧୀ କହୁଛନ୍ତି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସରକାରଙ୍କ ଯୋଜନା । ସୋହେଲାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବୋନସ କଥା ଉଠାଇଛନ୍ତି ବିରୋଧୀ।

କୃଷି ଋଣ ଛାଡ ପାଇଁ ନବୀନ ପୁଣି ଦେଲେ ସଙ୍କେତ । ଏନେଇ ଅନୁଧ୍ୟାନ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ କୃଷକଙ୍କ ପାଇଁ ଏକ ପ୍ୟାକେଜ ଘୋଷଣା ହେବାକୁ ଯାଉଥିବା ଆଭାସ ମିଳିଛି । ବର୍ଷେ ତଳେ ପଞ୍ଚାୟତ ନିର୍ବାଚନ ପରେ କୃଷି ଋଣ ଛାଡ ପାଇଁ ଚିନ୍ତା କରାଯାଉଛି ବୋଲି କହିଥିଲେ ନବୀନ । ଏବେ ଯେହେତୁ ସାରା ଦେଶରେ କୃଷି ଋଣ ଛାଡ ପାଇଁ ରାଜନୈତି ଦଳ ମାନେ ପ୍ରତିଯୋଗିତାରେ ମାତିଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ନବୀନ ରିସ୍କ ନେଇ ନପାରନ୍ତି ବୋଲି ଆଲୋଚନା ହେଉଛି । ଯଦି କୃଷି ଋଣ ଛାଡ ହୁଏ ସରକାରଙ୍କ ଉପରେ ୨୬ହଜାର କୋଟି ଟଙ୍କାର ଅର୍ଥିକ ବୋଝ ପଡିବ । ପ୍ରଶ୍ନ ଉଠୁଛି ରାଜ୍ୟ ସରକାର କଣ କୃଷି ଋଣ ବାବଦକୁ ଏତେ ବଡ ଆର୍ଥିକ ବୋଝ ମୁଣ୍ତାଇ ପାରିବେ? କୁହାଯାଉଛି ସବୁ ଋଣ ଛାଡ ନହେଲେ ମଧ୍ୟ ଚାଷୀଙ୍କ ଉପରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଆର୍ଥିକ ବୋଝ ହାଲୁକା ପାଇଁ ନିଷ୍ପତ୍ତି ନିଆଯାଇପାରେ । ଏମିତିକି ଚାଷୀ ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ପ୍ୟାକେଜ ଘୋଷଣା ହୋଇପାରେ।

ଚାଷୀ ଋଣ ଛାଡ ନେଇ ସାରା ଦେଶରେ ତ ବିତର୍କ ଚାଲିଛି । କିନ୍ତୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଛତିଶଗଡ ସରକାରଙ୍କ ବୋନସ ଓଡିଶା ସରକାରଙ୍କ ମୁଣ୍ତବିନ୍ଧା ବଢ଼ାଇଦେଇଛି । ଆଗରୁ ଛତିଶଗଡରେ ଥିବା ରମଣ ସିଂ ସରକାର ଚାଷୀଙ୍କୁ ବୋନସ ଦେଉଥିଲେ । ଏଠି କିନ୍ତୁ ଓଡିଶା ସରକାର କହୁଥିଲେ ବୋନସ ଦେଳେ ଏଫସିଆଇ ଧାନ କଣିବ ନାହିଁ ବୋଲି କେନ୍ଦ୍ର ନିୟମ କରିଛି । ସେଠି ବିଜେପି ସରକାର ଥିବାରୁ କଥା ଅଲଗା ହେଉଥିଲା । ଏବେ କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୭୫୦ଟଙ୍କାର ବୋନସ ଦେଇ କୁଇଣ୍ଟାଲ ପିଛା ଚାଷୀଙ୍କୁ ୨୫୦୦ଟଙ୍କା ଦେବାକୁ ଘୋଷଣା କରିବା ପରେ ରାଜ୍ୟସରକାରଙ୍କ ଯୁକ୍ତି ଦୁର୍ବଳ ହୋଇଛି । ବିରୋଧୀ କହିଛନ୍ତି ସରକାର କେବଳ ଚାଷୀଙ୍କୁ ମାଡ ମାରି ଜାଣିଛନ୍ତି। ବୋନସ ଦେବା ଜାଣିନାହାନ୍ତି।

୨୦୧୫ ସୋହେଲା ସମାବେଶରେ ଚାଷୀଙ୍କୁ ୧୦୦ଟଙ୍କା ବୋନସ ମିଳିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ତାହା ଏପର‌୍ୟ୍ୟନ୍ତ କାର‌୍ୟ୍ୟକାରୀ ହୋଇନାହିଁ ବୋଲି ବିରୋଧୀ ବାରମ୍ବାର କଥା ଉଠାଉଛନ୍ତି । ସେପଟେ ଚାଷୀଙ୍କୁ ବୋନସ ଦେଇ ବି ଛତିଶଗଡରୁ ରମଣ ସିଂ ସରକାର ବିଦା ହେବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ଭଳି ଏଠି ମଧ୍ୟ ରାଜ୍ୟସରକାର କୃଷି ଋଣ ଛାଡ କରି ନିର୍ବାଚନ ବୈତରଣୀ ପାର କରିବେ ବୋଲି ଯୋଜନା କରିଛନ୍ତି। ଭୁବନେଶ୍ବରରୁ କ୍ୟାମେରା ପର୍ସନ ଲକ୍ଷ୍ମୀଧର ଓ ଗୁଣ୍ତିଚାଙ୍କ ସହିତ ଲକ୍ଷ୍ମୀଧର ମହାପାତ୍ର ଓ ସୁକାନ୍ତ ରାଉତରାୟଙ୍କ ରିର୍ପୋଟ ନ୍ୟୁଜ ସେଭେନ୍।

ଧାନର ଏମଏସପି ବୃଦ୍ଧି ଦାବିରେ : ଜାନୁଆରୀ ୮ରେ ସଂସଦ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିବ ବିଜୁ କୃଷକ ଜନତା ଦଳ