ଲକ୍‌ଡାଉନରୁ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ବାଦ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ହୋଇଛି । ତେବେ ଏହି କାରଣରୁ କୃଷି ଓ ଚାଷକାର୍ଯ୍ୟ ତଥା ଆନୁସଙ୍ଗିକ ସେବାରେ ନିୟୋଜିତ ଲୋକମାନେ ସମସ୍ୟା ଭୋଗିବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକୁ ଲକଡାଉନରୁ ବାଦ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି । ଯାହାଫଳରେ ଫସଲ କାଟିବାରେ କୌଣସି ବାଧା ଉତ୍ପନ୍ନ ହେବ ନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ତଥା ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି ।

ଲକଡାଉନ ଲାଗୁ ହେବା ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ତଥା ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର କୃଷକଙ୍କ ସହ ଜଡ଼ିତ ପ୍ରସଙ୍ଗ ଉପରେ ଲଗାତାର ଧ୍ୟାନ ରଖିଥିଲେ । ତେବେ ଲକଡାଉନ କାରଣରୁ କୃଷକମାନଙ୍କ ପାଇଁ ଫସଲ ଏବଂ ଉତ୍ପାଦିତ ଫସଲ ମଣ୍ଡିରେ ପହଁଚାଇବା କ୍ଷେତ୍ରରେ ବାଧା ଉତ୍ପନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ କୌଣସି ନିଷ୍ପତି ନେବା ଲାଗି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାର ଗମ୍ଭୀରତା ଏବଂ ସହାନୁଭୂତି ପୂର୍ବକ ଏହି ପ୍ରସଙ୍ଗ ଉପରେ ତତ୍କାଳ ବିଚାର କରିଥିଲେ । ଏହାପରେ କୃଷକ ଏବଂ କୃଷି ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଜଡ଼ିତ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବ୍ୟବହାରିକ ନିର୍ଣ୍ଣୟ ନିଆଯାଇଥିଲା ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ନିମନ୍ତେ ରାଷ୍ଟ୍ରବ୍ୟାପୀ
ଲକଡାଉନ ଜାରି କରିବା ଲାଗି ୨୪ ଓ ୨୫ ମାର୍ଚ୍ଚ, ୨୦୨୦ରେ ଆଦେଶ ସଂଖ୍ୟା ୪୦- ୩/୨୦୨୦-ଡିଏମ-ଆଇ(ଏ) ଜରିଆରେ ଦିଶାନିର୍ଦ୍ଦେଶ ଜାରି କରାଯାଇଥିଲା । ଜାତୀୟ କାର୍ଯ୍ୟକାରୀ ସମିତିର ଅଧ୍ୟକ୍ଷଙ୍କ ଦ୍ୱାରା ବିପର୍ଯ୍ୟୟ ପରିଚାଳନା ଆଇନର ଅନୁଚ୍ଛେଦ ୧୦ (୨) (୧) ଅନ୍ତର୍ଗତ ପ୍ରଦତ କ୍ଷମତା ଅନୁଯାୟୀ ଏହି ଦିଶାନିର୍ଦ୍ଦେଶ ସମ୍ବନ୍ଧରେ ଦ୍ୱିତୀୟ ପରିଶିଷ୍ଟ ଜାରି
କରିଦିଆଯାଇଛି । ଏହି ପରିଶିଷ୍ଟରେ ୨୧ ଦିନର ଲକଡାଉନ ସମ୍ପର୍କରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ କୃଷି ଓ ଆନୁସଙ୍ଗିକ ସାମଗ୍ରୀ, ସେବା ଓ କାର୍ଯ୍ୟକଳାପକୁ ଲକଡାଉନରୁ ବାଦ ଦିଆଯାଇ ଏଗୁଡ଼ିକୁ ଅତିରିକ୍ତ ଶ୍ରେଣୀରେ ରଖାଯାଇଛି । ଏହାଫଳରେ ଫସଲ କାଟିବାରେ ମଧ୍ୟ ବାଧା  ଉତ୍ପନ୍ନ ହେବ ନାହିଁ । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଦ୍ୱିତୀୟ ପରିଶିଷ୍ଟ ଅନୁଯାୟୀ:
-କୃଷି ଉତ୍ପାଦ କ୍ରୟ ସଂସ୍ଥା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ବନ୍ଧୀୟ କାର୍ଯ୍ୟ,
-କୃଷି ଉତ୍ପାଦ ବଜାର କମିଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମଣ୍ଡି,
– ସାର ଦୋକାନ, କୃଷକ ଏବଂ କୃଷି ଶ୍ରମିକଙ୍କ ଦ୍ୱାରା ଚାଷ କାମ
-ସାର, କୀଟନାଶକ ଏବଂ ବିହନ ଉତ୍ପାଦନ ଏବଂ ପ୍ୟାକେଜିଂ ସଂସ୍ଥା
-ଫସଲ କାଟିବା ଏବଂ ବୁଣିବା ସମ୍ବନ୍ଧୀୟ କାର୍ଯ୍ୟ ଓ ବଗିଚାରେ ଲାଗୁଥିବା ଯନ୍ତ୍ରପାତିଗୁଡ଼ିକର
ଆନ୍ତଃରାଜ୍ୟ ପରିବହନକୁ ଛାଡ଼ କରାଯାଇଛି ।

ବାଧାମୁକ୍ତ ଭାବେ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଜାରି ରଖିବା ଲାଗି ଏହି ନିଷ୍ପତି
ନିଆଯାଇଛି । ଯାହାଫଳରେ ଲକଡାଉନ ସମୟରେ ଦେଶବାସୀଙ୍କୁ ନିରନ୍ତର ଖାଦ୍ୟଶସ୍ୟ ଉପଲବ୍ଧ କରିବା ସମ୍ଭବ ହୋଇପାରିବ । ଏଥିସହିତ କୃଷକ ଏବଂ ଦେଶର ଜନସାଧାରଣ କୌଣସି ସମସ୍ୟାରେ ପଡ଼ିବେ ନାହିଁ । ଏହି ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।