ପୁରୀ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ୬ଟି ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସ୍ଥିତି ପରକ୍ଷିଲେ ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗାଁରେ ସ୍ୱାସ୍ଥ୍ୟସେବାର ସ୍ଥିତି ପରକ୍ଷିଛନ୍ତି ବିଭାଗର କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା । ଗାଁରେ ଥିବା ଆଶା କର୍ମୀଙ୍କ ସହ ଆଲୋଚନା କରି ଔଷଧ ବିତରଣ ଓ ପରିମଳ ସଂକ୍ରାନ୍ତରେ ଅନୁଧ୍ୟାନ ସହିତ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ବାତ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯିବା ସହିତ ଏଭଳି କୌଣସି ସ୍ଥାନରେ ମହାମାରୀ ନବ୍ୟାପିବ ସେଥିପାଇଁ ଯଥେଷ୍ଠ ଧ୍ୟାନ ଦିଆଯାଉଛି । ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଣ ସହିତ ଗାଁ ପରିମଳ କ୍ଷେତ୍ରରେ କାର‌୍ୟ୍ୟ କରିବା ପାଇଁ ଗାଁ କଲ୍ୟାଣ ସମିତିଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ତଳସ୍ତରରେ କାର‌୍ୟ୍ୟ କିଭଳି ଚାଲିଛି ତାହାର ତଦାରଖ ଲାଗି ସୋମବାର ଶାସନ ସଚିବଙ୍କ ସହିତ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକା ଶାଳୀନି ପଣ୍ଡିତ ମଧ୍ୟ କୃଷ୍ଣପ୍ରସାଦ ବ୍ଲକ ଗସ୍ତରେ ଯାଇଥିଲେ । ଶ୍ରୀମତୀ ପଣ୍ଡିତ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସେମାନଙ୍କୁ ଚଳ ବିଶୋଧନ କରୁଥିବା ହାଲୋଜେନ ବଟିକା, ଓଆରଏସ୍ ପ୍ୟାକେଟ ସହିତ ଜିଙ୍କ୍ ଓ କ୍ଲୋରିନ୍ ବଟିକା ଆଦି ବଣ୍ଟନ କରିଛନ୍ତି ।
ସେହିପରି ବ୍ରହ୍ମଗିରିକୁ ସ୍ୱାସ୍ଥ୍ୟବିଭାଗର ଯୁଗ୍ମସଚିବ ମାନସ ପାଢ଼ୀ ଓ ଉପସଚିବ ରାଜେଶ ଅଗ୍ରୱାଲ ସତ୍ୟବାଦୀ ବ୍ଲକକୁ ବିଭାଗର ଯୁଗ୍ମସଚିବ ୟାମୀନି ଷଡଙ୍ଗୀ ଓ ଉପସଚିବ ଦୁର୍ଗେଶ ନନ୍ଦନୀ ସାହୁ, କଣାସ ବ୍ଲକକୁ ଉପସଚିବ ଯସ୍ମିନ ପଟ୍ଟନାୟକ ଓ ସ୍ୱତନ୍ତ୍ର ଶରତ ମିଶ୍ର ଏବଂ ଗୋପ ବ୍ଲକକୁ ଯୁଗ୍ମସଚିବ ସ୍ମିତା ବିଶ୍ୱାଳ ଓ ଉପସଚିସ ମମତା ବାରିକ ଯାଇଛନ୍ତି । ବିଭିନ୍ନ ବ୍ଲକର ସ୍ୱାସ୍ଥ୍ୟସେବା ଅନୁଧ୍ୟାନ ପାଇଁ ଯାଇଥିବାବେଳେ ଡାକ୍ତରୀଦଳ ମଧ୍ୟ ଯାଇଛନ୍ତି । ଏହି ଟିମ୍ କ୍ଷେତ୍ରସ୍ତଳକୁ ଯାଇ ସ୍ୱାସ୍ଥ୍ୟ ପରବର୍ତ୍ତୀ ସ୍ଥିତିରେ ଲୋକେ କିଭଳି ସ୍ୱାସ୍ଥ୍ୟସେବା ପାଉଛନ୍ତି ତାହାର ଅନୁଧ୍ୟାନ କରିଛନ୍ତି । ବିଶେଷ କରି ବାତ୍ୟା ପରେ ଲୋକଙ୍କୁ ଆବଶ୍ୟକ ମୁତାବକ ଔଷଧ, ପ୍ରସୂତିଙ୍କୁ ଆବଶ୍ୟକ ଚିକିତ୍ସା, ଜଳ ବିଶୋଧନ ସହିତ ମହାମାରୀ ନବ୍ୟାପିବା ପାଇଁ ବିଭାଗ ପକ୍ଷରୁ ସତର୍କତା ଜାରି କରିଛନ୍ତି ।
ବାତ୍ୟା ଅଞ୍ଚଳରେ ୨୯ଲକ୍ଷ ଓଆରଏସ୍ ପ୍ୟାକେଟ ଓ ୨୬ଲକ୍ଷ ହାଲୋଜେନ ବଟିକା ବଣ୍ଟନ ଲାଗି ଯୋଗାଇ ଦିଆଯାଇଛି । ସେହିଭଳି ବାତ୍ୟାରେ ୧୦୩୨ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥିରୁ ୩ଶହରୁ ଅଧିକକୁ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟବହାର ଉପଯୋଗୀ କରାଯାଇ ପାରିଛି । ବାତ୍ୟା ପ୍ରପିଡୀତଙ୍କ ପାଇଁ ୭୦୩ଟି ମେଡିକାଲ ରିଲିଫ ସେଣ୍ଟର ଖୋଲା ଯାଇଥିବାବେଳେ ୧୦ହଜାରରୁ ଅଧିକ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ୧୮୪ଟି ମେଡିକାଲ ଟିମ୍ ମୁତୟନ ହୋଇଥିବାବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ଆଉ ୨୦ଜଣ ଡାକ୍ତର ଓ ୨ଶହ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯାଇଛି ।