ପୁରୀ ଜିଲ୍ଲାର କୌଣସି ସ୍ଥାନରେ ହଇଜାର ସୂଚନା ନାହିଁ:ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହଇଜା ଦେଖା ଦେଇନାହିଁ । ଯେଉଁ କେତେକ ଝାଡାବାନ୍ତି ରୋଗୀ ଚିକିତ୍ସାଳୟକୁ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବାସି ଖାଦ୍ୟ ଓ ଭୋଜି ଖାଇ ଏଭଳି ଭୋଗୁଥିବାବେଳେ ଗୋଟିଏ ହେଲେ ନମୂନା
ପରୀକ୍ଷାରେ ହଇଜା ମିଳିନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି କୁହାଯାଇଛି । ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ
ପୁରୀ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟକୁ ଗତ କିଛିଦିନ ଧରି ସାମାନ୍ୟ ଝାଡାବାନ୍ତେି ର ଆକ୍ରାନ୍ତ ରୋଗୀ ଆସିବାରେ ଲାଗିଛନ୍ତି । ଏମାନଙ୍କୁ
ତୁରନ୍ତ ଚିକିତ୍ସା ସହିତ ବିପଦ ଆଶଙ୍କାରେ ସମସ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି
ନମୂନାରେ ହଇଜା ମିଳିନାହିଁ । ଇତି ମଧ୍ୟରେ ଜିଲ୍ଲାର ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ବ୍ଲକରୁ କେତେକ ଝାଡାବାନ୍ତି ସଂକ୍ରାନ୍ତୀୟ ଅଭିଯୋଗ ଆସିଥିବାବେଳେ ସେହି ସବୁ ସ୍ଥାନକୁ ତୁରନ୍ତ ଡାକ୍ତରୀଦଳ ପଠାଯାଇ ନମୂନା ସଂଗ୍ରହ କରାଯାଇଥିଲା ।
କୌଣସି ନମୂନାରୁ ହଇଜା ନଥିବା ଜଣାପଡିଥିବାବେଳେ ସେମାନେ ସମସ୍ତେ ସାମାନ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ପରେ ଚିକିତ୍ସିତ ହୋଇ
ଫେରିଛନ୍ତି । ତେବେ ବାତ୍ୟା ହୋଇନଥିବା ସୋନପୁର ଜିଲ୍ଲା ନାୟକେନପାଲିର ଜାନୁମୁରା ଗ୍ରାମରେ ହଠାତ୍‍ ଝାଡାବାନ୍ତିରେ ୧୬ଜଣ ଆକ୍ରାନ୍ତ ହୋଇ ଚିକିତ୍ସାପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଅନୁଧ୍ୟାନରୁ ଜଣାଯାଇଛି ଯେ ସମସ୍ତ ଆକ୍ରାନ୍ତ ବ୍ୟକ୍ତି ବାସି ମିଠା ଖାଇ ଖାଦ୍ୟ ବିଷକ୍ରିୟାର ଶିକାର ହୋଇଛନ୍ତି । ଇତି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ସମ୍ପୃକ୍ତ ଅଞ୍ଚଳକୁ ଯାଇ ଖାଦ୍ୟ ନମୂନା ସହିତ ରୋଗୀଙ୍କ ମଳ ଓ ପାନୀୟଜଳ ନମୂନା ସଂଗ୍ରହ କରିଛନ୍ତି । ବାତ୍ୟାଞ୍ଚଳରେ ଯେଭଳି କୌଣସି ସ୍ଥାନରେ ମହାମାରୀ ନବ୍ୟାପେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସର୍ତକତା ଅଲମ୍ବନ କରି ସେହି ଅଞ୍ଚଳକୁ ଡାକ୍ତର, ପାରାମେଡିକ୍‍ ଏବଂ ଭ୍ରାମ୍ୟମାଣ ଚିକିତ୍ସକ ଦଳ ମୁତୟନ କରିଛି । ଏଠାକୁ ପର୍ଯ୍ୟାପ୍ତ ଔଷଧ ସହିତ ଜଳ ବିଶେଶଧନ ପାଇଁ ଆବଶ୍ୟକ ହାଲୋଜେନ, କ୍ଲୋରିନ୍‍ ଆଦି ଯୋଗାଇ ଦିଆଯାଇଛି । ଗାଁ କଲ୍ୟାଣ ସମିତି ଜରିଆରେ ଇତି ମଧ୍ୟରେ ୨୦ହଜାରରୁ ଅଧିକ ସଫେଇ କାର୍ଯ୍ୟକ୍ରମ କରାଯିବା ସହିତ ୮୯,୦୯୧ ମୁକ୍ତ ଜଳଉତ୍ସ ଗୁଡିକୁ ବିଶୋଧନ କରାଯାଇଛି । ବର୍ତ୍ତମାନ ବାତ୍ୟାଞ୍ଚଳରେ ରୋଗ ସର୍ବେକ୍ଷଣ କରୁଥିବା କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞଦଳ ସଂକ୍ରମଣ ସଂକ୍ରାନ୍ତରେ କୌଣସି ଆଗୁଆ ସର୍ତକ ସୂଚନା ଦେଇନାହାନ୍ତି ।
ତେବେ ସ୍ଥିତିକୁ ଦେଖି କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ପରିମଳ ଉପରେ ସଜାଗ ଦୃଷ୍ଟି ରଖାଯାଇଛି । ପୁରୀ ଜିଲ୍ଲାର କୌଣସି କିଶୋରୀ ଓ ମହିଳା ଯେଭଳି ସଂକ୍ରମଣର ଶିକାର ନହୁଅନ୍ତି ସେଥିପାଇଁ ଆସନ୍ତା ଦୁଇମାସ ପାଇଁ ମାଗଣାରେ ୨୪ଲକ୍ଷ ସାନିଟାରୀ
ନାପ୍‍କିନ୍‍ ବଣ୍ଟନ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ନିମାପଡା, ଗୋପ, ଅସ୍ତରଙ୍ଗ, କଣାସ, କାକଟପୁର ଓ ସତ୍ୟବାଦୀ ବ୍ଲକରେ
ଏହାର ବଣ୍ଟନ ଆରମ୍ଭ ହୋଇଛି ।