ବିଭିନ୍ନ ବିଭାଗୀୟ ସଚିବ, ରାଜ୍ୟର ବିଭିନ୍ନ ଟେଲିକମ୍ ସର୍ଭିସ ପ୍ରୋଭାଇଡରମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ମାନଙ୍କ ସହିତ ବାତ୍ୟା ଫନିର ମୁକାବିଲା ଓ ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି । ସଚିବମାନେ ସେମାନଙ୍କ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସମ୍ଭାବ୍ୟ ବାତ୍ୟା ପରବର୍ତୀ ସମୟରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ବିଭାଗ ଗୁଡିକ ହେଉଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ,ଗ୍ରାମ୍ୟ ଉନ୍ନୟନ, ପୂର୍ତ , ଶକ୍ତି ଓ ପଂଚାୟତିରାଜ ବିଭାଗ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜ୍ୟର କାର୍ଯ୍ୟ କରୁଥିବା ବିଭିନ୍ନ ଟେଲିକମ୍ ସର୍ଭିସ ପ୍ରୋଭାଇଡର ମାନଙ୍କ ସହିତ ସେମାନଙ୍କ ପ୍ରାକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତ ପ୍ରକାର ପରିସ୍ଥିତିରେ ଟେଲି ଯୋଗାଯୋଗ ଅବ୍ୟାହତ ରଖିବା ପାଇଁ ସେମାନେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।