ଭୁବନେଶ୍ୱର: ନବଜାତ ଶିଶୁଙ୍କ ଚିକିତ୍ସାପାଇଁ ଅତ୍ୟନ୍ତ ଜରୁରୀ ଥିବା କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁଟି ବାତ୍ୟାରେ କ୍ଷତିଗ୍ରସ୍ତ ହେବାର ସପ୍ତାହକ ମଧ୍ୟରେ ଡାକକ୍ତରଖାନା କର୍ତୃପକ୍ଷ ତାହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଦେଇଛନ୍ତି । ଶିଶୁ ଚିକିତ୍ସାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ
ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗତ ତିନି ତାରିଖରେ ବାତ୍ୟା ଫୋନି ସମଗ୍ର ରାଜଧାନୀକୁ ଛାରଖାର କରିଥିବାବେଳେ କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗ ଏସଏନସିୟୁକୁ ମଧ୍ୟ କ୍ଷତି ପହଂଚାଇଥିଲା । ପ୍ରଖର ପବନ ମାଡରେ ଏହାର ସିଲିଂ ଗୁଡିକ ଖଣ୍ଡ ଖଣ୍ଡ ହୋଇ ତଳକୁ ଗଳିଥିଲା । ଏଥି ସହିତ ଲାଗିଥିବା ବିଦ୍ୟୁତ ଉପକରଣ ବି ଖସିଥିଲା ।
ସେତେବେଳ ଏସଏନସିୟୁରେ ୨୨ଜଣ ନବଜାତକ ଥିବାବେଳେ ଡାକ୍ତର, ନର୍ସ ଓ ସହାୟକମାନେ ନିଜ ଜୀବନକୁ ବାଜି ଲଗାଇ ଶିଶୁମାନଙ୍କୁ ଉଦ୍ଧାର କରିଥିଲେ । ଉପସ୍ଥିତ ବୁଦ୍ଧି ଖଟାଇ ପ୍ରଥମେ ଇନକ୍ୟୁବେଟରରୁ ବିଦ୍ୟୁତ ବିଚ୍ଛିନ୍ନ କରି ବଡ ଦୁର୍ଘଟଣାକୁ ଟାଳିଦେବା ପରେ ଗୋଟି ଗୋଟି କରି ଶିଶୁଙ୍କୁ କୋଳକୁ ଉଠାଇ ନେଇଥିଲେ । ତିନି ତାରିଖ ଦିନ ସାଢେ ୧୨ଟାରେ ଏସଏନସିୟୁରେ ଘଟିଥିବା ବାତ୍ୟା ଜନିତ ଏହି ଦୁର୍ଘଟଣା ଓ ଶିଶୁଙ୍କ ଜୀବନ ବଂଚାଇବା କାର୍ଯ୍ୟ ପଦାକୁ ଆସିବାପରେ କର୍ତବ୍ୟରତ ଡାକ୍ତର, ନର୍ସ ଓ ସହାୟକମାନଙ୍କ ସାହସ ଓ ସେବା ମନୋଭାବକୁ ସବୁଆଡୁ ପ୍ରଶଂସାର ସୁଅ
ଛୁଟିଥିଲା । ତେବେ ଭାଙ୍ଗିରୁଜି ଯାଇଥିବା ଏସଏନସିୟୁକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଥିଲା ଡାକ୍ତରଖାନା କର୍ତୃପକ୍ଷଙ୍କ ପାଇଁ ସବୁଠାରୁ
ବଡ ଆହ୍ୱାନ । ବାତ୍ୟାର ଗତି କମିବା ପରେ ପରେ ଡାକ୍ତରଖାନା କର୍ତୃପକ୍ଷ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ ।
ଡାକ୍ତରଖାନା ଆଖାପାଖରେ ଲୋକଙ୍କୁ ଘରକୁ ଏବେ ବି ବିଜୁଳି ସଂଯୋଗ ହୋଇପାରିନଥିବାବେଳେ ନିର୍ଦ୍ଦେଶକ ଅଶୋକ
କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ କିନ୍ତୁ ଏସଏନସିୟୁ ପୁନଃ କାର୍ଯ୍ୟକ୍ଷମ ହୋଇପାରିଛି । ସେହିଭଳି ରୋଗୀ ଚିକିତ୍ସା କ୍ଷେତ୍ରରେ ଅନ୍ୟତମ ଜରୁରୀ ଉପକରଣ ଅମ୍ଳଜାନ ପାଇପ୍ ଲାଇନ୍ଟି ବାତ୍ୟାରେ ବ୍ୟାପକ କ୍ଷତ୍ରିଗସ୍ତ ହୋଇଥିବାବେଳେ ତାହାକୁ ବି କର୍ତୃପକ୍ଷ ସାତ ଦିନ ମଧ୍ୟରେ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇ ପାରିଛନ୍ତି । ଗତ ଶୁକ୍ରବାର ଠାରୁ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ଶିଶୁମାନଙ୍କର ଏଠାରେ ଚିକିତ୍ସା ଆରମ୍ଭ କରାଯାଇଛି । ବାତ୍ୟା ସମୟରେ ଡାକ୍ତରଖାନାକୁ ନିରବଚ୍ଛିନ୍ନ ଆଲୋକ ଯୋଗାଇ ପ୍ରଶଂସା ସାଉଁଟିଥିବା କର୍ତୃପକ୍ଷଙ୍କର ଏଭଳି ଯୁଦ୍ଧକାଳୀନ ପଦକ୍ଷେପ ଏବେ ଅନ୍ୟମାନଙ୍କ ପାଇଁ
ଉଦାହରଣ ପାଲଟିଛି ।