ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା : ପୋଲିସ୍ ଏବଂ ସାଇଣ୍ଟିଫିକ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ
ପାଟଣାଗଡରେ ସାମ୍ନାକୁ ଆସିଛି ଏକ ଗଣହତ୍ୟାକାଣ୍ଡ
ବଲାଙ୍ଗୀର : ପାଟଣାଗଡରେ ଏକ ଗଣହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ କି ଦୁଇ ଜଣ ନୁହଁ, ଏକାଥରକେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା। ଗଇଁତିରେ ନିର୍ମମ ଭାବରେ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଛି। ବଲାଙ୍ଗୀର ପାଟଣାଗଡ଼ ବ୍ରହ୍ମପୁରା ନିକଟ ସଅଁରାପଡ଼ା ଏଭଳି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ହତ୍ୟାର ଶିକାର ହୋଇଛନ୍ତି ବୁଲୁ ଜାନୀ(୫୦ବର୍ଷ), ତାଙ୍କ ସ୍ତ୍ରୀ ଜ୍ୟୋତି(୪୮ବର୍ଷ) ଓ ଦୁଇପୁଅ ଭୀଷ୍ମ ଜାନୀ(୫ବର୍ଷ) ଓ ସଂଜୀବ ଜାନୀ(୨ବର୍ଷ), ଦୁଇ ଝିଅ ସରିତା ଜାନୀ(୧୪ବର୍ଷ), ଶ୍ରୀୟା ଜାନୀ(୩ବର୍ଷ)। ସଅଁରାପଡ଼ା କୁସୁମତଲଠାରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ବଲାଙ୍ଗୀର ଜିଲ୍ଲା ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଜାରି ରଖିଛି। ଏସ୍ପି ମଡ଼କର ସନ୍ଦୀପ ସମ୍ପତ ଘଟଣାସ୍ଥଳରେ ନିଜେ ଉପସ୍ଥିତ ରହି ଛାନଭିନ କରୁଛନ୍ତି। ଏସ୍ପିଙ୍କ କହିବାନୁସାରେ, ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ହତ୍ୟାକାରୀଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ସେ କହିଛନ୍ତି। ଘଟଣାଟି ମଙ୍ଗଳବାର ବିଳମ୍ବିତ ରାତିର ବୋଲି ଜଣାପଡ଼ିଛି।ଗୋଟିଏ ପରିବାରର ବାପ-ମାଆ ସହ ୪ ଛୁଅଙ୍କୁ ହାଣିଛନ୍ତି ଦୁର୍ବୃତ୍ତ। ସ୍ବାମୀ-ସ୍ତ୍ରୀଙ୍କ ସମେତ ପୁଅ-ଝିଅ ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ କିଏ ହତ୍ୟା କରିଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି।
ପୋଲିସ୍ ଏବଂ ସାଇଣ୍ଟିଫିକ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ଏପରି କି ସନ୍ଧାନୀ କୁକୁର ଜରିଆରେ ପୋଲିସ୍ ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଟାଙ୍ଗିଆ ଏବଂ ଧାରୁଅ ଅସ୍ତ୍ର ପୋଲିସ୍ ଜବତ କରିଛି। ଗୋଟେ ପରିବାର ବଂଶ ନିପାତ କିଏ କଲା, ତାହା ବି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପୁଲିସ ଘରକୁ ପହଞ୍ଚିବା ପରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ସବୁ ସଦସ୍ୟ ଥିବା ଦେଖିବାକୁ ପାଇଥିଲେ। କମ୍ବଳ ସବୁରେ ରକ୍ତ ଛିଟା ବି ଲାଗିଥିଲା। ଘର ବାହାରେ ଏକ ଧାରୁଆ ଅସ୍ତ୍ର ବି ପୁଲିସ ପ୍ରଥମେ ଦେଖିଥିଲା। ପାଟଣାଗଡ଼ ପୁଲିସ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲା। ଅତିରିକ୍ତ ଏସ୍ପି ଘଟଣାସ୍ଥଳକୁ ପହଞ୍ଚିଥିଲେ। ପରେ ପରେ ସାଇଣ୍ଟିଫିକ ଟିମ୍, ଡଗସ୍କ୍ୱାଡ୍ ପହଞ୍ଚି ତଦନ୍ତ କରିଥିଲେ। ଏହାପରେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ଏସ୍ପି ମଧ୍ୟାହ୍ନରେ ଗଣମାଧ୍ୟମକୁ ସ୍ପଷ୍ଟୀକରଣ କରି କହିଥିଲେ।