ମୋଦୀଙ୍କ ଶପଥ ସମାରୋହରେ ଯୋଗଦେବେ ପଶ୍ଚିମବଙ୍ଗର ୫୧ ମୃତ ବିଜେପି କର୍ମୀଙ୍କ ପରିବାର

ନୂଆଦିଲ୍ଲୀ: ରାତି ପାହିଲେ କେନ୍ଦ୍ରରେ ଗଠନ ହେବ ନୂତନ ସରକାର । ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନେବେ ଶପଥ । ଏଥିପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି । ମୋଦୀଙ୍କ ଶପଥ ଗ୍ରହଣ ସାମରୋହରେ ବିମସଟେକ ଦେଶ ଅର୍ଥାତ୍ ନେପାଳ, ଭୁଟାନ, ମିଆଁମାର, ଶ୍ରୀଲଙ୍କା, ଏବଂ ଥାଇଲ୍ୟାଣ୍ଡର ରାଷ୍ଟ୍ରଧ୍ୟକ୍ଷଙ୍କୁ ଆମନ୍ତ୍ରିତ କରାଯାଇଛି । ସେହିପରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଏହାରି ମଧ୍ୟରେ ବିଭିନ୍ନ ନିର୍ବାଚନରେ ବିରୋଧୀଙ୍କ ଦ୍ୱାରା ଆକ୍ରମଣ ଶୀକାର ହୋଇଥିବା ବିଜେପି କର୍ମୀଙ୍କ ପୀଡ଼ିତ ପରିବାର ସଦସ୍ୟ ଯୋଗ ଦେବେ । ବିଶେଷ କରି ପଶ୍ଚିମ ବଙ୍ଗର ୫୦ରୁ ଅଧିକ ପରିବାରକୁ ଆମନ୍ତ୍ରଣ କରାଯାଇଛି । ଯାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା କରାଯାଉଛି ।

ପଶ୍ଚିମବଙ୍ଗରେ ଗତ ୬ ବର୍ଷ ମଧ୍ୟରେ ହୋଇଥିବା ପଂଚାୟତ ଓ ଲୋକସଭା ନିର୍ବାଚନରେ ୫୧ ଜଣ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରାଯାଇଛି । ସେମାନଙ୍କ ମଧ୍ୟରେ ୪୬ ଜଣଙ୍କ ପଂଚାୟତ ନିର୍ବାଚନରେ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଲୋକସଭା ନିର୍ବାଚନରେ ୫ ଜଣ ପ୍ରାଣ ହରାଇଛନ୍ତି । ଏମାନେ ସବୁ ବୈରକପୁର, କୃଷ୍ଣାନଗର ନଦିଆ, ପୁରୁଲିଆ, ମାଲଦା, ବାଙ୍କୁରା, ପଶ୍ଚିମୀ ମେଦିନୀପୁର, ଝାରଗ୍ରାମ, ଦକ୍ଷିଣ ୨୪ ପରଗନା, ବର୍ଦ୍ଧମାନ, ରାଣାଘାଟ, ବୀରଭୂମ ଓ କୁଚବିହାର ଅଂଚଳର ଅଟନ୍ତି । ଏମିତି କି କିଛି ପରିବାର ବିଜେପି କାର୍ଯ୍ୟାଳୟକୁ ଆସି ନିଜର ଦୁଃଖ କାହାଣୀ ବିଷୟରେ ବଖାଣିଛନ୍ତି । ଚଳିତ ନିର୍ବାଚନର ପ୍ରଚାର ସମୟରେ ମୋଦୀ କହିଥିଲେ କର୍ମୀଙ୍କ ବଳିଦାନ ବ୍ୟର୍ଥ ଯିବନି । ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । 

ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ନିର୍ବାଚନରେ ବିଜେପି ୪୨ ଲୋକସଭା ଆସନରୁ ୧୮ଟି ଆସନରେ ବିଜୟୀ ହୋଇଛି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିରୋଧରେ ଏହା ବଡ଼ ବିଜୟ । ପୀଡ଼ିତ ପରିବାରକୁ ଶପଥ ସମାରୋହ ଡକାଯିବା ଆଗାମୀ ୨୦୨୧ ବିଧାନସଭା ନିର୍ବାଚନ ପାଇଁ ବଙ୍ଗଳା ବାସିନ୍ଦାଙ୍କୁ ଏକ ବଡ଼ ସନ୍ଦେଶ ବୋଲି କୁହାଯାଉଛି ।