ଭୁବନେଶ୍ୱର : ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉଭୟ ମଞ୍ଚ ଓ ଭର୍ଚୁଆଲ୍ ବ୍ୟବସ୍ଥାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ବ୍ୟାସକବି ଫକୀର ମୋହନଙ୍କୁ କଥାସାହିତ୍ୟର ଜନକ ଭାବେ ଅଭିହିତ କରିଥିଲେ । ଅତି ସରଳ ଭାବରେ ଓଡ଼ିଆ ଭାଷାକୁ ଲୋକପି୍ରୟ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ । ଓଡ଼ିଆ ଭାଷା
ପ୍ରତି ଆମର ଶ୍ରଦ୍ଧା ହିଁ ବ୍ୟାସକବିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ ।
ସମ୍ମାନିତ ଅତିଥିଭାବେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଭୋଗରାଇ ବିଧାୟକ ଶ୍ରୀ ଅନନ୍ତ ଦାସ ବ୍ୟାସକବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ସେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଅବଦାନ ପାଇଁ ବାଲେଶ୍ୱର ମାଟି ଆଜି ଗର୍ବିତ । ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସମ୍ପାଦକ ଡ. ଲେନିନ୍ ମହାନ୍ତି କହିଥିଲେ ଓଡ଼ିଆ ଭାଷା ସାହିତ୍ୟରେ ବ୍ୟାସକବିଙ୍କର ଅବଦାନକୁ ଇତିହାସ ସର୍ବଦା ସ୍ମରଣ କରୁଥିବ । ତାଙ୍କ ଉଦ୍ୟମରେ ହିଁ ଜନସାଧାରଣଙ୍କ ମଧ୍ୟରେ ପୁନଃଜାଗରଣ ସୃଷ୍ଟି ହୋଇଥିଲା । ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଥିଲେ କେବଳ ଆମ ରାଜ୍ୟ ନୁହେଁ ବିଶ୍ୱସ୍ତରରେ ବ୍ୟାସକବି ଫକୀର ମୋହନଙ୍କ ପରିଚୟ ସୃଷ୍ଟି ପାଇଁ ଉଦ୍ୟମ କରାଯିବା ଆବଶ୍ୟକ । ବ୍ୟାସକବିଙ୍କ ଉପରେ ପର୍ଯ୍ୟବସିତ ଏକ େୱବ୍ସିରିଜ୍ ହୋଇପାରିଲେ ତାଙ୍କ ସଂପର୍କରେ ସମଗ୍ର ବିଶ୍ୱ ପରିଚିତ ହୋଇପାରିବ ବୋଲି ସେ ମତ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଶାସକ ତଥା ବିଶିଷ୍ଟ ସାହିତି୍ୟକ ବିଜୟ କୁମାର ନାୟକ ଉତ୍ସବରେ ଯୋଗଦେଇ କହିଥିଲେ ପ୍ରକୃତରେ ବ୍ୟାସକବି ଫକୀର ମୋହନ ଥିଲେ ଜଣେ ସେନାପତି । ଉତ୍କଳ ଗୌରବ ମଧୁସୂଦନ ଦାସ ଯେପରି ବହୁ କ୍ଷେତ୍ରରେ ଓଡ଼ିଶାରେ ଥିଲେ ପ୍ରଥମ, ସେହିପରି ବ୍ୟାସକବି କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ଆତ୍ମଜୀବନୀ, ରମ୍ୟଚରନା, ଭ୍ରମଣ କାହାଣୀ ଆଦି ସୃଷ୍ଟି କରିବାରେ ଥିଲେ ପ୍ରଥମ । ଭାଷା, ଭୂମି ଓ ମୁକ୍ତି ଆନ୍ଦୋଳନରେ
ସେ ପୁରୋଧା ଥିଲେ ବୋଲି ତାଙ୍କର ବକ୍ତବ୍ୟରେ କହିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ବ୍ୟାସକବି ଫକୀର ମୋହନ ସେନାପତି ନିର୍ବିକାର ହୃଦୟରେ ଓଡ଼ିଆ ଜାତି ପାଇଁ କାର୍ଯ୍ୟ କରିଯାଇଛନ୍ତି । କାର୍ଯ୍ୟକ୍ରମ ଶେଷରେ ବିଭାଗୀୟ ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଜୟନ୍ତୀ ଉତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସକାଳ ୮.୩୦ ମିନିଟ୍ ସମୟରେ ବାଣୀବିହାରସ୍ଥିତ ବ୍ୟାସକବି ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ ଏବଂ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।