କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନାଁରେ ନକଲି ଫେସ୍‌ବୁକ୍ ଆଇଡି

କେନ୍ଦ୍ରାପଡ଼ା : ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ନକଲି ଫେସ୍‌ବୁକ୍ ଆକାଉଣ୍ଟ୍‌ ଖୋଲାଯାଇଛି। ଆଜି ଏ ନେଇ ଜିଲ୍ଲାପାଳ ଶ୍ରୀ ବର୍ମା ଏସ୍‌ପି ନିତି ଶେଖରଙ୍କ ନିକଟରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ ହୋଇଛି। ପୁଲିସ୍‌ ସଂପୃକ୍ତ ନକଲି ଆକାଉଣ୍ଟ୍‌କୁ ଖୋଲି ଯାଞ୍ଚ କରିବା ସହ ଏ ସଂକ୍ରାନ୍ତରେ ତୁରନ୍ତ ଫେସ୍‌ବୁକ୍ କର୍ତ୍ତୃପକ୍ଷଙ୍କୁ ଲିଖିତ ଜଣାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, କେହି ଦୁର୍ବୃତ୍ତ ଜିଲ୍ଲାପାଳଙ୍କ ନାଁରେ ଏକ ନକଲି ଫେସ୍‌ବୁକ୍ ଆକାଉଣ୍ଟ୍‌ ଖୋଲିଛି। ସେଥିରେ ଜିଲ୍ଲାପାଳ ପୂରା ନାମ ସହିତ ଆକାଉଣ୍ଟ ପ୍ରୋଫାଇଲ୍‌ରେ ଯେଉଁ ଫଟୋ ରହିଛି, ତାହା ଜିଲ୍ଲାପାଳଙ୍କ ସହିତ ଆଉ ଜଣେ ବ୍ୟକ୍ତିଙ୍କ ମୁହଁ ରହିଛି। ଆଜି ସକାଳେ ଏ ସଂକ୍ରାନ୍ତରେ ଜାଣିବା ପରେ ଜିଲ୍ଲାପାଳ ପ୍ରଥମେ ଫେସ୍‌ବୁକ୍ କେହି ତାଙ୍କ ନାମରେ ନକଲି ଆକାଉଣ୍ଟ୍‌ ‌ଖୋଲିଥିବା ଜଣାଇବା ସହ ଏହି ଆଇଡିର ଫ୍ରେଣ୍ଡ ରିକୋଏଷ୍ଟ୍‌କୁ ଗ୍ରହଣ ନ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ କହିଛନ୍ତି, ସକାଳେ ଏ ସଂକ୍ରାନ୍ତରେ ଜାଣିବା ପରେ ସେ ଏସ୍‌ପିଙ୍କୁ ଜଣାଇ ଦେଇଥିଲେ। ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଇଥିବା ଜିଲ୍ଲାପାଳ ଶ୍ରୀ ବର୍ମା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଜିଲ୍ଲାପାଳଙ୍କ ଅଭିଯୋଗ ପାଇଛୁ ଏବଂ ଫେସବୁକ୍ କର୍ତ୍ତୃପକ୍ଷଙ୍କୁ ଲିଖିତ ଜଣାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।