ରାଜଧାନୀରେ ଠାବ ହେଲା ନକଲି ଖାଇବା ତେଲ କାରଖାନା: ୩ଗିରଫ

ଭୁବନେଶ୍ୱର:କଟକ ପରେ ଏବେ ପୁଣି ରାଜଧାନୀ ଭୁବନେଶ୍ୱରରେ  ନକଲି ଖାଇବା ତେଲ କାରଖାନା ଠାବ ହୋଇଛି । ପୋଲିସ ଲକ୍ଷ୍ମୀ ସାଗର ଅଂଚଳରେ ଚଢାଉ କରି ୩ଜଣ ବ୍ୟବସାୟୀଙ୍କୁ ଗିରଫ କରିବା ସହ ବିଭିନ୍ନ କମ୍ପାନୀର ଲୋଗୋ ଥିବା ନକଲି ଓ ଅପମିଶ୍ରିତ ଖାଇବା ତେଲ ଜବତ କରିଛି । 

ସୂଚନାନୁସାରେ, ଦୀର୍ଘଦିନ ଧରି ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଂଚଳରେ  ଥିବା ଏକ ଘରେ ଚାଲିଥିଲା ଏକ ବେଆଇନ ନକଲି ଖାଇବା ତେଲ କାରଖାନା । କୈାଣସି ଏକ ଗୁପ୍ତ ସୂତ୍ରରୁ ଖବର ପାଇଁ ଆଜି ପୋଲିସ ସେଠାରେ ଚଢାଉ କରିଥିଲା । ସେଠାରୁ ବିଭିନ୍ନ କମ୍ପାନୀର ଲୋଗୋ ଥିବା ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ଖାଇବା ତେଲ ଓ ଘିଅ ଜବତ କରାଯାଇଛି । ଏହା ସହ ସେଠାରୁ ବିଭିନ୍ନ ନାମୀ ଦାବୀ ବ୍ରାଣ୍ଡର ଲୋଗୋ ନକଲ ଥିବା ଖାଲି ବତଲ ଜବତ ହୋଇଛି । ନକଲି ତେଲ କାରବାରରେ ସମ୍ପୃକ୍ତ ଥିବା ୩ଜଣ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି । 

ଏହି ନକଲି ତେଲ କାରଖାନାରୁ ନକଲି ତେଲ ରାଜ୍ୟ ତଥା ରାଜ୍ୟ ବାହାରକୁ ମଧ୍ୟ ପଠାଯାଉଥିବା ଜଣାପଡ଼ିଛି । ଏହି ନକଲି ଖାଇବା ତେଲ ପ୍ରସ୍ତୁତି ପାଇଁ କଞ୍ଚାମାଲ କେଉଁ ଠାରୁ ଆସୁଥିଲା ଜାଣିବା ସହ ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି । 

ଉଲ୍ଲେ୍ଖଯୋଗ୍ୟ, କିଛି ଦିନ ତଳେ କଟକ ସଦର ବମ୍ପକୁଦ ଅଂଚଳରୁ ମଧ୍ୟ ଏକ ନକଲି ଖାଇବା ତେଲ ଜବତ ହୋଇଥିଲା । ସେଠାରୁ ବିଭିନ୍ନ କମ୍ପାନୀ ଲୋଗୋ ଥିବା ଲେବଲ, ବୋତଲ ସହ ୩୦ଲିଟର ଅପମିଶ୍ରିତ ତେଲ ମଧ୍ୟ ଜବତ କରିଥିଲା ପୋଲିସ ।