ଫେସ୍‌ବୁକ୍‌ ପ୍ରେମ କରି ଅଡୁଆରେ ଯୁବତୀ

ଭୁବନେଶ୍ୱର: ଜଣେ ଯୁବତୀ ଫେସ୍‌ବୁକ୍‌ ଜରିଆରେ ପ୍ରେମ କରି ଏବେ ପଡିଛନ୍ତି ଅଡୁଆରେ । ଫେସ୍‌ବୁକ୍‌ ପ୍ରେମ୍ ପରେ ଘରଛାଡି ପଳାଇ ଆସି କହିଥିଲେ ବିବାହ । ବାହାଘର ମାସେ ହୋଇନି ସେହି ଯୁବତୀଙ୍କୁ ବୁଧବାର ବରମୁଣ୍ଡା ଅଂଚଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ଦେଇଛନ୍ତି । ଖବର ଅନୁସାରେ କୋରାପୁଟ ଜିଲ୍ଲା ଦାମନଯୋଡି ଅଂଚଳରେ ଯୁକ୍ତ ୨ ପଢ଼ୁଥିବା ଜଣେ ଯୁବତୀ ଫେସବୁକ୍ ଜରିଆରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଜଣେ ଯୁବକଙ୍କୁ ଭଲ ପାଇ ବସନ୍ତି । ଦୀର୍ଘ ୧ବର୍ଷ ପର୍ଯ୍ୟନ୍ତ ତାଙ୍କ ପ୍ରେମ ସମ୍ପର୍କ ରହିଥିଲା । ଏହାପରେ ଯୁବତୀ ଜଣଙ୍କ ପ୍ରେମିକଙ୍କୁ ବିବାହ କରିବା ପାଇଁ ନିଜ ବାପା ମା’ଙ୍କୁ କହିଥିଲେ । ଯୁବତୀଙ୍କ କଥାରେ ଘରେ ରାଜି ନ ହୋଇ ତାଙ୍କୁ ମାଡପିଟ୍ କରିଥିଲେ । ଏ ସମ୍ପର୍କରେ ଯୁବତୀ ଜଣଙ୍କ ତାଙ୍କ ପ୍ରେମିକଙ୍କୁ କହିଥିଲେ । ଏହାପରେ ପ୍ରେମିକଙ୍କ କଥାରେ ପଡି ଯୁବତୀ ଜଣଙ୍କ ଜାନୁୟାରୀ ୧୫ରେ ଘରୁ ଲୁଚି ପଳାଇଆସିଥିଲେ । ଏହାପରେ ଉଭୟ ବିବାହ କରିଥିଲେ । ବିବାହ ପରେ ଯୁବତୀ ଜଣଙ୍କ ଶାଶୂ ଘର ବାଲିଅନ୍ତାରେ ରହୁଥିଲେ । ଉଭୟ ବିବାହ କରିଥିଲେ ସତ ମାତ୍ର ତାଙ୍କ ବାହାଘର ମାସେ ମଧ୍ୟ ତିଷ୍ଠି ପାରି ନ ଥିଲା । ପ୍ରତି ଛୋଟ ଛୋଟ କଥାରେ ସ୍ୱାମୀ ଯୁବତୀ ଜଣଙ୍କୁ ମାରପିଟ୍ କରୁଥିଲେ । ବିଳମ୍ବିତ ରାତିରେ ମଦ ପିଇ ଘରକୁ ଆସି ତାଙ୍କୁ ବାଡାବାଡି ମଧ୍ୟ କରୁଥିଲେ । ଅନ୍ୟପଟେ ସ୍ୱାମୀଙ୍କ ମା’ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ନିର୍ଯାତନା ସହ୍ୟ ନ କରିପାରି ସେ ଆଜି ଘରଛାଡି ବରମୁଣ୍ଡା ବସଷ୍ଟାଣ୍ଡକୁ ପଳାଇ ଆସିଥିଲେ । ଏହାପରେ ସେ ନିଜୁ ଘରକୁ ଫୋନ କରି ସମସ୍ତ ଘଟଣା ସମ୍ପର୍କରେ କହିଥିଲେ । ମାତ୍ର ତାଙ୍କୁ ଘରକୁ ନେବାକୁ ପରିବାର ଲୋକେ ମନା କରିଦେଇଥିଲେ । ଏହାପରେ ଘରକୁ ନ ଫେରି ବସଷ୍ଟାଣ୍ଡ ପାଖାପାଖି ଅଂଚଳରେ ବୁଲୁଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସରେ ଜିମା କରିଥିଲେ ।