ନିର୍ବାଚନ ପୂର୍ବରୁ କଂଗ୍ରେସ ସମର୍ଥିତ ୬୮୭ ପେଜ୍‌କୁ ଡିଲିଟ୍‌ କଲା ଫେସ୍‌ବୁକ୍‌

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମର ଅଗ୍ରଣୀ କମ୍ପାନୀ ଫେସ୍‍ବୁକ୍‍ ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଫେସ୍‍ବୁକ୍‍ ଦାବି କରିଛି ଯେ କଂଗ୍ରେସ ଦଳ ଏବଂ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ ସମ୍ପର୍କିତ ପେଜ୍‍ଗୁଡ଼ିକୁ ଫେସ୍‍ବୁକ୍‍ରୁ ଅପସାରଣ କରିନିଆଯାଇଛି। ଅନ୍ତର୍ଜାତୀୟ ନ୍ୟୁଜ୍‍ ଏଜେନ୍ସି ରୟଟର୍ସ ଦ୍ୱାରା ଫେଜ୍‍ ଅପସାରଣ ନେଇ ସୂଚନା ଦିଆଯାଇଛି।
ଫେସ୍‍ବୁକ୍‍ ପକ୍ଷରୁ କୁହାଯାଇଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସମ୍ପର୍କିତ ୬୮୭ଟି ପେଜ୍‍ ଏବଂ ଆକାଉଣ୍ଟ ଅପସାରଣ କରିନିଆଯାଇଛି। ଏହାସହ ଫେସ୍‍ବୁକ୍‍ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ ୧୦୩ ଆକାଉଣ୍ଟ ହଟାଇ ଦେଇଛି। ପ୍ରଥମ ଥର ଫେସ୍‍ବୁକ୍‍ ଏକ ବଡ଼ ରାଜନୈତିକ ଦଳ ସମ୍ପର୍କିତ ପେଜ୍‍ ଓ ଆକାଉଣ୍ଟକୁ ହଟାଇଛି। ଏହି ପେଜ ଏବଂ ଆକାଉଣ୍ଟଗୁଡ଼ିକରୁ ପ୍ରକାଶିତ ପୋଷ୍ଟ ଏବଂ ଫଟୋରେ ଭୁଲ ତଥ୍ୟ ଦିଆଯାଉଥିବା ଜଣାପଡ଼ିବା ପରେ ସେଗୁଡ଼ିକୁ ହଟାଇ ଦିଆଯାଇଛି ବୋଲି ଫେସ୍‍ବୁକ୍‍ ସୂଚନା ଦେଇଛି।
ଫେସ୍‍ବୁକ୍‍ ନିଜ ତଦନ୍ତରେ ଜାଣିବାକୁ ପାଇଥିଲା ଯେ ଲୋକଙ୍କ ନକଲି ଆକାଉଣ୍ଟ ତିଆରି କରାଯାଇ ବିଭିନ୍ନ ପେଜ ସହ ଲିଙ୍କ୍‍ କରାଯାଇଥିଲା। ଏହି ଆକାଉଣ୍ଟ ଓ ପେଜ ଦ୍ୱାରା ଭୁଲ ଏବଂ ଭ୍ରମିତ ତଥ୍ୟର ପ୍ରସାରଣ କରାଯାଉଥିଲା। ଏହି ପେଜ ଓ ଆକାଉଣ୍ଟଗୁଡ଼ିକରେ ଶାସକ ଦଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରାଯାଉଥିଲା। ସୂଚନାଯୋଗ୍ୟ ଯେ ଚଳିତ ଥର ଅପ୍ରେଲ ୧୧ରୁ ମଇ ୧୯ ମଧ୍ୟରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ମଇ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।