ସିରିୟାରେ ବିସ୍ଫୋରଣ: ୩୧ ମୃତ

ଡାମାସ୍‌କସ୍‌: ମଧ୍ୟ ସିରିୟାରେ ସେନାର ଏକ ବିମାନଘାଟିରେ ଶନିବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ସରକାର ଏବଂ ସେନାର ୩୧ ଜଣଙ୍କ ମୃତ୍ୟୁ ଘଟିଛି। ଶାୟରାତ ବିମାନଘାଟିରେ ଏହି ବିସ୍ଫୋରଣ ହୋଇଛି। ତେବେ କିପରି ବିସ୍ଫୋରଣ ଘଟିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନ ଥିବା ସିରିୟାର ଏକ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି। ମାତ୍ର ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ପୁରୁଣା ଗୋଳାବାରୁଦ ପରିବହନ ସମୟରେ ଏହି ବିସ୍ଫୋରଣ ଘଟିଛି। ସିରିୟାର ମଧ୍ୟଭାଗରେ ଅବସ୍ଥିତି ଶାୟରତ ବିମାନଘାଟି ଦେଶର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସେନା ବିମାନଘାଟି। ସିରିୟାର ଗୃହ ଯୁଦ୍ଧରେ ପ୍ରଶାସନକୁ ସହାୟତା କରୁଥିବା ଇରାନୀ ସୁରକ୍ଷା ବଳ ଏଠାରେ ରହୁଥିବା ସୂଚନା ମିଳିଛି।