ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମନି ଲଣ୍ଡିରିଂ ଓ ଟିକସ ଫାଙ୍କି ଅଭିଯୋଗ

ଭୁବନେଶ୍ବର : ପୁଣି ଚର୍ଚ୍ଚାରେ ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀରୁ ପ୍ରକାଶିତ ଇଂରାଜୀ ଖବର କାଗଜ ଇଣ୍ଡିଆନ୍‌ ଏକ୍ସପ୍ରେସର ଏକ ଖବର ଚର୍ଚ୍ଚାକୁ ଆଣିଛି ଏହି ପୂର୍ବତନ ସାଂସଦଙ୍କୁ । ଇଣ୍ଡିଆନ୍‌ ଏକ୍ସପ୍ରେସ ରିପୋର୍ଟ ମୁତାବକ ବୈଜୟନ୍ତ ପଣ୍ଡାଙ୍କ ନାଁରେ ରହିଛି ମନି ଲଣ୍ଡରିଂ ଅଭିଯୋଗ । ଯେଉଁଥି ପାଇଁ ସେ ଅଛନ୍ତି ଇନ୍‌କମ ଟ୍ୟାକ୍ସ ଡିପାର୍ଟମେଣ୍ଟ ରାଡାରରେ। ନଜର ପକାନ୍ତୁ ଇଣ୍ଡିଆନ୍‌ ଏକ୍ସପ୍ରେସର ଏହି ରିପୋର୍ଟ ଉପରେ। ରିପୋର୍ଟର ଶୀର୍ଷକ On Income Tax Radar: Former Mp Jay Panda’s Bahamas Transactions.

ରିପୋର୍ଟର ପ୍ରଥମ ପାରାରେ କୁହାଯାଇଛି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ତାଙ୍କ ପତ୍ନୀ ଓ ସହଯୋଗୀଙ୍କ ନାଁରେ ମନି ଲଣ୍ଡିରିଂ ଓ ଟିକସ ଫାଙ୍କି ଅଭିଯୋଗ। ରିପୋର୍ଟର ଦ୍ୱିତୀୟ ପାରାରେ ରହିଛି, ଆଇଟି ଡିପାର୍ଟମେଣ୍ଟ ଏକ ଅଭିଯୋଗ ପାଇଛି। ଅଭିଯୋଗରେ ଦର୍ଶାଯାଇଛି, ପୂର୍ବତନ ସାଂସଦ ପଣ୍ଡା ତାଙ୍କ ପତ୍ନୀ ଜଗୀ ମଙ୍ଗତ ପଣ୍ଡା ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ମଞ୍ଜୁଳା ଦେବୀ ଶ୍ରଫ, ପ୍ରିଭେନ୍‌ସନ ଅଫ ମନି ଲଣ୍ଡରିଂ ଆକ୍ଟ, ବ୍ଲାକ ମନି ଆକ୍ଟ ଓ ଇନ୍‌କମ୍‌ ଟ୍ୟାକ୍ସ ଆକ୍ଟର ଉଲ୍ଲଂଘନ କରିଛନ୍ତି ।

ଇଣ୍ଡିଆନ୍‌ ଏକ୍ସପ୍ରେସ ରିପୋର୍ଟ ମୁତାବକ, ଜୟ ଏବଂ ଜଗି ପଣ୍ଡା ବାହାମାସରେ ତିନିଟି ସେଲ୍‌ କମ୍ପାନୀ ଖୋଲିଥିଲେ। ଫିନ୍‌ଲେ କର୍ପୋରେସନ, ପିକିକା ଲିମିଟେଡ୍‌ ଓ ମେସିନା କର୍ପୋରେସନ। ୧୯୯୩ରେ ଫିନ୍‌ଲେ, ୧୯୯୫ରେ ମେସିନା ଓ ୨୦୧୩ରେ ପିକିକା କଂପାନୀ ବାହାମାସରେ ପଞ୍ଜିକୃତ ହୋଇଥିଲା। ୨୦୧୬ରେ ଇଣ୍ଟରନ୍ୟାସନାଲ କନୋସର୍ଟିୟମ ଅଫ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ଣ୍ଣାଲିଷ୍ଟ ଦ୍ୱାରା ବହମାସରେ ସେଲ୍‌ କଂପାନୀ ସଂପର୍କିତ ରିପୋର୍ଟରେ ଏହି ତିନି କଂପାନୀ ନାଁ ସାମିଲ ଥିଲା।

ଅଭିଯୋଗ ଅନୁଯାୟୀ, ଫିନ୍‌ଲେ, ପିକିକା ଓ ମେସିନା କଂପାନୀରେ ପାୱାର ଅଫ ଆଟର୍ଣ୍ଣି ଥିଲେ ମଞ୍ଜୁଳା ଦେବୀ ଶ୍ରଫ। ମଞ୍ଜୁଳା, ବୈଜୟନ୍ତଙ୍କ ବ୍ୟବସାୟୀକ ସହଯୋଗୀ। ୧୯୯୮ରୁ ୨୦୧୩ ଯାଏ ଥିଲେ ଓରଟେଲର ନିର୍ଦ୍ଦେଶକ। ସେହି ତିନିଟି ସେଲ୍‌ କଂପାନୀ ଜୟ ପଣ୍ଡା ଓ ଜଗୀ ପଣ୍ଡାଙ୍କ କଂପାନୀ ଓରଟେଲରେ ୧୭ କୋଟି ୭୨ ଲକ୍ଷ ଟଙ୍କା ନିବେଶ କରିଥିଲେ। ବିଦେଶୀ କଂପାନୀ ଫିନ୍‌ଲେ, ପିକିକା ଓ ମେସିନା କଂପାନୀ ଭାରତରେ କେବଳ ଜୟ ଓ ଜଗୀ ପଣ୍ଡାଙ୍କ କଂପାନୀରେ ନିବେଶ କରିଥିଲା। ପ୍ରଥମେ ତିନିଟି କଂପାନୀ ଜୟ ଓ ଜଗୀ ପଣ୍ଡାଙ୍କ କଂପାନୀର ଅଂଶଧନ କିଣିଥିଲେ। ଏହାପରେ ବଜାର ଦରଠାରୁ ଖୁବ ଶସ୍ତାରେ ସେୟାଗୁଡିକୁ ତିନିଟି ସେଲ୍‌ କଂପାନୀ, ଜୟ ଓ ଜଗୀ ପଣ୍ଡାଙ୍କ କଂପାନୀଙ୍କୁ ହସ୍ତାନ୍ତର କରିଥିଲେ । ପିକିକା କଂପାନୀ ୨୦୧୧, ମେସିନା ୨୦୧୩ରେ ଓ ଫିନ୍‌ଲେ କଂପାନୀ ୨୦୧୮ରେ ବନ୍ଦ ହୋଇଯାଇଛି ।

କିନ୍ତୁ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୈଜୟନ୍ତ ପଣ୍ଡା। କହିଛନ୍ତି, ଯେଉଁ ଅର୍ଥ କାରାବାର କଥା କୁହାଯାଉଛି ତାହା ଦୁଇ ଦଶକ ପୁରୁଣା। ସେ ସମୟରେ ଯେଉଁ ନିୟମ ଥିଲା ତାହା ପାଳନ କରାଯାଇଥିଲା। ଯେଉଁ ଅନୁମତି ଆବଶ୍ୟକ ଥିଲା ତାହା ମଧ୍ୟ ନିଆଯାଇଥିଲା। ସେହିପରି ମଞ୍ଜୁଳା ଦେବୀ ମଧ୍ୟ କହିଛନ୍ତି ପାୱାର ଅଫ ଆଟର୍ଣ୍ଣି ଭାବେ ତିନି କଂପାନୀ ଉପରେ ତାଙ୍କର ନିୟନ୍ତ୍ରଣ ନଥିଲା। ଏହାସହ ଆର୍ଥିକ କାରବାରରୁ ତାଙ୍କର କୌଣସି ଫାଇଦା ହୋଇ ନାହିଁ।

ଏବେ ପ୍ରଶ୍ନ ଉଠୁଛି, ଏହି ପୂର୍ବତନ ସାଂସଦଙ୍କ ବାବାଦରେ ଆସିଥିବା ଅଭିଯୋଗ ଅନୁଯାୟୀ, ଭାରତରେ ଅର୍ଜିତ କଳାଧନା ପ୍ରଥମେ ଟିକସ ପାଙ୍କିର ଭୂଃସ୍ୱର୍ଗ କୁହାଯାଉଥିବା ବାହମସକୁ ଗଲା କିପରି? ସେହି ଟଙ୍କା ପୁଣି ଧଳା ହୋଇ ସେଲ୍‌ କଂପାନୀ ଜରିଆରେ ଭାରତକୁ ଫେରି ଆସିଲା କିପରି? କାମ ସରିବା ପରେ ସେହି କଂପାନୀକୁ ବନ୍ଦ କରାଯିବ କେଉଁ ଉଦ୍ଦେଶକୁ ଦର୍ଶାଉଛି?

ଅନ୍ୟପଟେ ଆୟକର ବିଭାଗର ରାଡାରରେ ବୈଜୟନ୍ତଙ୍କ ବାହାମାସର ୩ ସେଲ କମ୍ପାନୀ ଉପରେ ନଜର ନେଇ ଦଳ ପ୍ରତିକ୍ରିୟା ରଖିଛି। ଏନେଇ କୌଣସି ମନ୍ତବ୍ୟ ଦେବା ଠିକ ନୁହଁ ବୋଲି ମୁଖପାତ୍ର ସମୀର ଦାଶ କହିଛନ୍ତି। ଆୟକର ବିଭାଗ ବର୍ତ୍ତମାନ ଖୋଳତାଡ଼ କରୁଛି। ଛାନଭିନରୁ କଣ ତଥ୍ୟ ମିଳିବ ତାଉପରେ ନଜର ରହିଛି। ‘ତେବେ ଏହି ଘଟଣାରେ ତାଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ନେଇ ପ୍ରାଥମିକ ଭାବେ ସ୍ୱୀକାର କରିବାକୁ ପଡ଼ିବ ବୋଲି କହିଛନ୍ତି ସମୀର। ସେପଟେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ମଧ୍ୟ ମତ ରଖିଛନ୍ତି । ଯେପର୍ଯ୍ୟନ୍ତ BJDରେ ଥିଲେ ସେ ପର୍ଯ୍ୟନ୍ତ କିଛି ନୋଟିସ୍‌ ଆସୁନଥିଲା । ଏବେ BJD ସହ ସମ୍ପର୍କ ଖରାପ ହେବା ପରେ ନୋଟିସ ଆସୁଛି । ଆଗକୁ ନିର୍ବାଚନ ଅଛି,ଆହୁରି ନୋଟିସ୍‌ ଆସିବ ବୋଲି କହିଛନ୍ତି ତାରା ।