ପରଲୋକରେ ବିଜୁ ପଟ୍ଟନାୟକଙ୍କ ସାରଥି ପ୍ରହଲ୍ଲାଦ ବେହେରା

ବୌଦ୍ଧ: ହରଭଙ୍ଗା ଅଂଚଳର ଅନ୍ୟତମ ସମାଜସେବୀ ତଥା ଫୁଲବାଣୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ସୋମବାର ଦେହାନ୍ତ ହୋଇଛି । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅସୁସ୍ଥ ହୋଇ ରବିବାର ଠାରୁ ବୁର୍ଲା ମେଡିକାଲରେ ସେ ଚିକିତ୍ସିତ ହେଉଥିଲେ ।

ବୌଦ୍ଧ ଜିଲ୍ଲାର ଅନ୍ୟତମ ସମାଜ ସଂସ୍କାରକ ତଥା ଫୁଲବାଣୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ପରଲୋକ ଘଟିଛି । ଏକଦା ବିଜୁ ପଟ୍ଟନାୟକ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସମ୍ପର୍କରେ ଆସି ଜନସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ ପ୍ରହଲ୍ଲାଦ । କିନ୍ତୁ ସବୁଠାରୁ ବିଡମ୍ବନାର ବିଷୟ ଯେ ହଜାର ହଜାର ଲୋକଙ୍କ ଦୁଃଖ ଶୁଣି ବାସ ଯୋଗାଇ ଥିବା ମଣିଷ ନିଜେ ଜୀବନର ଶେଷ ପର୍ଯ୍ୟନ୍ତ ପକ୍କାଘର ତଳେ ଆଶ୍ରୟ ପାଇପାରି ନଥିଲେ ।

ହରଭଙ୍ଗା ଅଂଚଳରେ ଅତ୍ୟନ୍ତ ଲୋକପ୍ରିୟ ଥିବା ପ୍ରହଲ୍ଲାଦ ବିଜୁବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ତଥା ତାଙ୍କ ଡ୍ରାଇଭର ଥିଲେ । ପିତା ଅକ୍ରୃର ବେହେରା ଓ ମାତା ଲବଙ୍ଗ ବେହେରାଙ୍କ ସୁପୁତ୍ର ଥିଲେ ପ୍ରହଲ୍ଲାଦ । ପିଲା ଦିନରୁ ଅତ୍ୟନ୍ତ ସ୍ବାଧୀନ ଚେତନାଧର୍ମୀ ଥିଲେ । ସୋମବାର ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।