ହାତୀ ପିଠିରେ ବସିଲେ କୃଷ୍ଣଚନ୍ଦ୍ର ସଗରିଆ, ଆଗରୁ ଛାଡିଥିଲେ ହାତ

ଭୁବନେଶ୍ବର : BSPରେ ମିଶିଲେ ସଗରିଆ। ଆଜି ବହୁଜନ ସମାଜ ପାର୍ଟିରେ ମିଶିଛନ୍ତି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ବିଏସପିର ରାଜ୍ୟପ୍ରଭାରୀ ଧରମଜୀତ ସିଂଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ସଗରିଆ । ଲୋୟର ପିଏମଜିରେ ଆୟୋଜିତ  ମିଶ୍ରଣ ପର୍ବରେ ସଗରିଆ ନିଜ ସମର୍ଥକମାନଙ୍କ ସହିତ ଆନୁଷ୍ଠାନିକ ଭାବେ ବିଏସପିରେ ସାମିଲ ହୋଇଛନ୍ତି। ମିଶ୍ରଣ ପରେ କୃଷ୍ଣଚନ୍ଦ୍ର ସଗରିଆ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳିତଙ୍କ ନ୍ୟାୟ ପାଇଁ ଓଡିଶା ସାରା ବୁଲିବି । ରାଜ୍ୟ ସରକାରଙ୍କ ୧୯ ବର୍ଷର ବିଫଳତା ନେଇ ଲୋକଙ୍କ ମତ ସଂଗ୍ରହ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢିବି । ଦଳିତଙ୍କ କଥା କହିବାରୁ ମୋତେ କଂଗ୍ରେସରୁ ବହିଷ୍କାର କରାଯାଇଥିବା ସଗରିଆ କହିଛନ୍ତି । ମିଶ୍ରଣ ପର୍ବରେ ବିଏସପିର ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ଓ କେନ୍ଦ୍ରୀୟ ନେତା ବୀର୍ ସିଂହ ଅଶୋକ ଉପସ୍ଥିତ ଥିଲେ । ବିଏସପି କେନ୍ଦ୍ରୀୟ ନେତା ବୀର୍ ସିଂହ ଅଶୋକ କହିଛନ୍ତି, ଆମେ ୧୪୭ଟି ଏବଂ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବୁ ଏବଂ ବିଜେଡି, ବିଜେପି ଓ କଂଗ୍ରେସ ବିରୋଧରେ ଲଢିବୁ । ଚଳିତ ମାସରେ ମାୟାବତୀ ଓଡ଼ିଶା ଆସିବେ ବୋଲି ବିଏସପି ନେତା କହିଛନ୍ତି ।