କଂଗ୍ରେସ ଭବନରେ ବିଜେଡିରୁ ବହିଷ୍କୃତ ନେତା ଦାମଦୋର ରାଉତ

ଭୁବନେଶ୍ୱର : ବିଜେଡିରୁ ବିଦାହେବା ପରେ ପାରାଦୀପ ବିଧାୟକ ଡାକ୍ତର ଦାମଦୋର ରାଉତଙ୍କ ଗୋଟିଏ ପରେ ଗୋଟିଏ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି । ହେଲେ ଏବେ ମଙ୍ଗଳବାର ସଂଧ୍ୟାରେ ଡାକ୍ତର ଦାମଦୋର ରାଉତ ହଟାତ କଂଗ୍ରେସ ଭବନରେ ଉଭା ହୋଇ କଂଗ୍ରେସ କାର୍ଯ୍ୟକ୍ରମରେ ଭାଷଣ ଦେବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆଜି କଂଗ୍ରେସ ଭବନରେ ହୋଇଥିବା ‘ସମ୍ବିଧାନ ବଞ୍ଚାଅ’ ସମ୍ମିଳନୀରେ ବିଭିନ୍ନ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏଥିରେ କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି ଓ ରାମକୃଷ୍ଣ ପଣ୍ଡା ଏବଂ ସମାଜବାଦୀ ପାର୍ଟିର ରବି ବେହେରାଙ୍କୁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏମାନଙ୍କ ପରେ ହଠାତ୍ ସେଠି ଦାମୋଦର ରାଉତ ମଧ୍ୟ ବିଜେ କରିଥିଲେ। ଦାମଙ୍କ ସମେତ ଅନ୍ୟ ଦଳର ନେତା ଗୋଟିଏ ଜାଗାରେ ଏକାଠି ହୋଇଥିବାରୁ, କଂଗ୍ରେସର ମେଣ୍ଟ ଚର୍ଚ୍ଚାକୁ ଏହା ଖୋରାକ ଯୋଗାଇଛି।

କେବଳ ଏତିକି ନୁହେଁ ନୂଆ ଦଳ ଗଢିବାକୁ ଇଶାର। କରିଛନ୍ତି ଦାମ ବାବୁ ।  ନୂଆ ଦଳ ଗଢ଼ିବାକୁ ସାଂସଦ ବୈଜୟନ୍ତ ପଣ୍ଡା ରାଜି ବୋଲି ଦାମୋଦର ରାଉତ ମଙ୍ଗଳବାର କହିଛନ୍ତି। କଂଗ୍ରେସ ଭବନରେ ଦାମ କହିଛନ୍ତି, ରାଜ୍ୟରେ ଆଉ ଏକ ଦଳ ଗଠନ ହେବା ଦରକାର ଅଛି। ମାଲଦାର ଲୋକମାନେ ଧରାଦେଇ ଖସି ଯାଉଛନ୍ତି ବୋଲି ସେ କହିଛନ୍ତି।

ବିଜେଡିକୁ ଚେକ୍‌ ଦେବା ପାଇଁ ଦାମଙ୍କର ଏମିତି ଗୋଟିଏ ପରେ ଗୋଟିଏ ରାଜନୈତିକ ପଦକ୍ଷେପ, ଓଡ଼ିଶା ରାଜନୀତିରେ ଏକ ନୂଆ ସମୀକରଣ ହେବ ବୋଲି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।