ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା ପରିଚାଳନା କମିଟିର ଅଧ୍ୟକ୍ଷ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା(ଶିକ୍ଷା) ଭାବେ ମଧ୍ୟ ସେ କାର୍ଯ୍ୟ କରିବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି  । ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା(ଶିକ୍ଷା) ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ଏଥିପାଇଁ ଶ୍ରୀ ତ୍ରିପାଠୀ ସରକାରଙ୍କଠାରୁ ଦରମା ନେବେ ନାହିଁ । ସ୍ୱେଚ୍ଛାକୃତ ଭାବେ ବିନା ଦରମାରେ ନିଜ ରାଜ୍ୟର ସେବା କରିବାକୁ ଶ୍ରୀ ତ୍ରିପାଠୀ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟର ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନରେ ସେ ତାଙ୍କର ପୂର୍ଣ୍ଣ ସାମର୍ଥ୍ୟ ଓ ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଉପେନ୍ଦ୍ର ତ୍ରିପାଠୀ ହେଉଛନ୍ତି କର୍ଣ୍ଣାଟକ କ୍ୟାଡରର ୧୯୮୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ । ଗଞ୍ଜାମ ଜିଲ୍ଲା ରମ୍ଭା ଅନ୍ତର୍ଗତ କହକପୁର ଗାଁରେ ତାଙ୍କର ଜନ୍ମ । ରେଭେନ୍ସା, ଜେଏନୟୁ ଏବଂ କାନାଡ଼ାର ଅଟୱାସ୍ଥିତ କାର୍ଲିଟନ୍ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ଜଣେ ଦକ୍ଷ ଓ ସଫଳ ପ୍ରଶାସନିକ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ତ୍ରିପାଠୀ କର୍ଣ୍ଣାଟକ ସରକାର ଓ ଭାରତ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କାମ କରିଛନ୍ତି । ଇଣ୍ଟରନ୍ୟାସନାଲ୍ ସୋଲାର୍ ଆଲିଆନ୍ସର ସେ ହେଉଛନ୍ତି ପ୍ରଥମ ଏବଂ ପ୍ରତିଷ୍ଠାତା ଡିଜି ।

ଗୁଣାତ୍ମକ ଶିକ୍ଷାକୁ ଏକ ନୂଆ ସୋପାନକୁ ଆଣିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା । ଓଡ଼ିଶାରେ ଆଦର୍ଶ ବିଦ୍ୟାଳୟ ସଂଗଠନ ଗଢ଼ିବା ପଛରେ ତାଙ୍କର ଥିଲା ଯଥେଷ୍ଟ ଅବଦାନ । ପ୍ରଶାସନିକ କ୍ୟାରିୟର୍ ରେ “ଇନୋଭେସନ’ ଏବଂ “ଆଇଡିଆ’ କୁ ମନ୍ତ୍ର କରି ସଫଳତା ପାଇଥିବା ଶ୍ରୀ ତ୍ରିପାଠୀ ତାଙ୍କ ଚାକିରି ଜୀବନରେ ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି । ପବ୍ଲିକ୍ ଆଡମିନିଷ୍ଟ୍ରସନ୍ ରେ ଉତ୍କର୍ଷତା ପାଇଁ ତାଙ୍କୁ ମିଳିଛି ସମ୍ମାନଜନକ ପ୍ରଧାନମନ୍ତ୍ରୀ ପୁରସ୍କାର ।

ସୂଚନାଯୋଗ୍ୟ, ଆଦର୍ଶ ବିଦ୍ୟାଳୟ ସଂଗଠନର ପୂର୍ବ ଉପଦେଷ୍ଟା ବିଜୟ କୁମାର ସାହୁ କରୋନାରେ ଆକ୍ରାନ୍ତ ହୋଇ ଗତ ଜୁନ୍ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁ ଯୋଗୁଁ ଉପଦେଷ୍ଟା ପଦ ଖାଲି ପଡ଼ିଥିଲା ।

ex IAS officer upendra tripathy appointed as advisor of odisha adarsha vidyalaya sangathan