ବିଜେଡିରେ ସାମିଲ ହେଲେ ରମାକାନ୍ତ ଭୋଇ

ତିର୍ତ୍ତୋଲ ଆସନରୁ ବିଜେପି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ, ୬ ତାରିଖରେ ବିଜେପି ଛାଡିଥିଲେ

ଭୁବନେଶ୍ବର : ବିଜୁ ଜନତା ଦଳରେ ଯୋଗ ଦେଲେ ରମାକାନ୍ତ ଭୋଇ । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ରମାକାନ୍ତ । ଗତ ୬ ତାରିଖରେ ବିଜେପି ଛାଡିଥିଲେ ରମାକାନ୍ତ ଭୋଇ । ରମାକାନ୍ତଙ୍କ ସହ ତାଙ୍କର ଶତାଧିକ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି । ତିର୍ତ୍ତୋଲରେ ନବୀନ ବାବୁଙ୍କ ଆଦର୍ଶରେ ବିକାଶ କାର୍ଯ୍ୟକୁ ଆଗେଇବାକୁ ସେ କାମ କରିବେ ବୋଲି କହିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ । ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ ବୋଲି ସୂଚନା ମିଳିଥିଲା । ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ଏ ଭିତରେ ରମାକାନ୍ତ ବିଜେଡିରେ ସାମିଲ ହୋଇଛନ୍ତି ।

ex bjp leader ramakanta bhoi join in bjd

ଉଲ୍ଲେଖଯୋଗ୍ୟ ଯେ, ଗତ ବିଧାନସଭା ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ପ୍ରାୟ ୯୩,୭୭୪ ଭୋଟ୍ ପାଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେପିରୁ ରମାକାନ୍ତ ଭୋଇ ୫୩,୫୮୧ ଖଣ୍ଡ ଭୋଟ୍ ପାଇଥିଲେ । ପ୍ରାୟ ୪୦,୪୭୭ ଖଣ୍ଡରୁ ଅଧିକ ଭୋଟ୍ ବ୍ୟବଧାନରେ ବିଷ୍ଣୁ ଦାସ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ ତିର୍ତ୍ତୋଲରେ ଦ୍ବିତୀୟ ସ୍ଥାନରେ ଥିବା ରମାକାନ୍ତ ଭୋଇ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା ।

ରମାକାନ୍ତ ବିଜେଡିରେ ଯୋଗଦେବା ସମୟରେ ଦଳର ଉପସଭାପତି ଦେବୀ ମିଶ୍ର, ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ନିର୍ବାଚନ ଦାୟିତ୍ବରେ ଥିବା ଦେବାଶିଷ ସାମନ୍ତରାୟଙ୍କ ଉପସ୍ଥିତ ଥିଲେ ।