ଶ୍ରୀନଗରରେ ପହଁଚିଲେ ୟୁରୋପୀୟ ୟୁନିଅନର ସାଂସଦ

ଶ୍ରୀନଗର:ୟୁରୋପୀୟ ୟୁନିଅନର ୨୮ଜଣ ସାଂସଦଙ୍କ ପ୍ରତିନିଧି ମଣ୍ଡଳ କାଶ୍ମୀର ଘାଟିର ସ୍ଥିତି ଜାଣିବା ପାଇଁ ଶ୍ରୀନଗରରେ ପହଁଚିଛନ୍ତି । ଏହି ପ୍ରତିନିଧିମଣ୍ଡଳରେ ଇଟାଲି, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ ଓ ପୋଲାଣ୍ଡର ଏମପି ସାମିଲ ଅଛନ୍ତି । ଏହି ଗସ୍ତରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ତାଙ୍କ ସହ ଥିବା କୁହାଯାଉଛି । 

ୟୁରୋପୀୟ ସାଂସଦମାନେ ମଙ୍ଗଳବାର ପୂର୍ବାହ୍ନରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରୁ କଶ୍ମୀର ଅଭିମୁଖେ ଗସ୍ତ କରିଥିଲେ । ପ୍ରତିନିଧି ମଣ୍ଡଳ ପୂର୍ବାହ୍ନ ୮ଟାରେ ନିଜ ହେଟେଲରୁ ବିମାନବନ୍ଦର ଅଭିମୁଖେ ବାହାରିଥିଲେ । ଏମାନେ ବିମାନବନ୍ଦରରୁ ଏୟାର ଇଣ୍ଡିଆର ବିମାନରେ ଦିନ ୧୦ଟା ୧୫ରେ କଶ୍ମୀର ଅଭିମୁଖେ ବାହାରି ଦିନ ପ୍ରାୟ ୧ରେ ପହଞ୍ଚିଥିଲେ ।

କଶ୍ମୀର ଗସ୍ତରେ ସାଂସଦମାନେ ପ୍ରସିଦ୍ଧ ଡାଲ ହ୍ରଦ ମଧ୍ୟ ଯିବେ । ସେଠାରେ ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ସାଂସଦଙ୍କ ପାଇଁ ରାତ୍ରି ଭୋଜନ ବ୍ୟବସ୍ଥା କରିଛନ୍ତି । ଏହା ପୂର୍ବରୁ ସୋମବାର ସମସ୍ତ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଘାଟିର ସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି । ମାତ୍ର ଏହି ଗସ୍ତ ୟୁରୋପୀୟ ସଂସଦ ତରଫରୁ ଜମ୍ମୁକଶ୍ମୀରକୁ ଅଫିସିଆଲ ଗସ୍ତ ନୁହେଁ । ଏହା ଏକ ବ୍ୟକ୍ତିଗତ ଗସ୍ତ ।

ଏହି ଟିମରେ ସାମିଲ ବି.ଏନ ଡନ କହିଛନ୍ତି, ଆମେ ମଙ୍ଗଳବାର ଜମ୍ମୁ କଶ୍ମୀର ଯାଉଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ ଧାରା ୩୭୦ ଉଚ୍ଛେଦ ମାମଲା ସଂପର୍କରେ କହିଛନ୍ତି କିନ୍ତୁ ଆମେ ତୃଣମୂଳ ସ୍ତରରେ କ’ଣ ହେଉଛି, ତାହା ଦେଖିବାକୁ ଆଗ୍ରହ ପ୍ରକାଶ କରିଛୁ । ସେ କହିଛନ୍ତି ଯେ, ଆମେ ସ୍ଥାନୀୟ ଲୋକଙ୍କୁ ଭେଟିବୁ । ସୂଚନାଯୋଗ୍ୟ ଯେ, ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ ।