ନୋବେଲ ଶାନ୍ତି ପୁରସ୍କାର ପାଇବେ ଇଥିଓପିଆ ପ୍ରଧାନମନ୍ତ୍ରୀ

ଷ୍ଟକହୋମ : ଆଜି ବର୍ଷ ୨୦୧୯ ପାଇଁ ବିଶ୍ୱର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମଦ ଏହି ପୁରସ୍କାର ପାଇବେ । ଇଥିଓପିଆର ପଡୋଶୀ ଦେଶ ଏରିଟ୍ରି ସହିତ ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ବଛାଯାଇଛି ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି । ଦୁଇ ଦେଶ ମଧ୍ୟରେ ବିଗତ କିଛି ଦଶନ୍ଧୀ ଧରି ବିବାଦ ଲାଗିିରହିଥିଲା । ଏହା ସହିତ ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ଆଲୋଚନା କରିବା ଦିଗରେ ମଧ୍ୟ ସେ ସଫଳ ପଦକ୍ଷେପ ନେଇଥିଲେ ।

ସୂଚନାଯୋଗ୍ୟ ଯେ ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ଘୋଷଣା କରାଯାଏ । ଗତ କାଲି ୨୦୧୮,୨୦୧୯ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଥିଲା ।