ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକଙ୍କ ବିକ୍ଷୋଭ

ଭୁବନେଶ୍ୱର: ଏସପ୍ଲାନେଡ ମଲରେ ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଦୁର୍ବବ୍ୟବହାର ଏବଂ ମାଡମରା ଘଟଣାକୁ ନେଇ ଆଜି ସାମ୍ବାଦିକମାନେ ଧାରଣାରେ ବସିଛନ୍ତି । ଏହି ଘଟଣାରେ ସାମିଲ ଥିବା ମଲ କର୍ମଚାରୀଙ୍କ ଗିରଫ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକମାନେ ଏସପ୍ଲାନେଡ୍ ମଲ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବେଆଇନ ପାର୍କିଂ ଫି ଆଦାୟ କରାଯାଉଥିବା ଖବର ପ୍ରସାରଣ ସମୟରେ ମହିଳା ସାମ୍ୱାଦିକାଙ୍କୁ ଗତକାଲି ମାଡ଼ ମାରିଛନ୍ତି ଏସପ୍ଲାନେଡ ମଲ କର୍ମଚାରୀ । ଜଣେ କି ଦୁଇ ଜଣ ନୁହେଁ ସଂଘବଦ୍ଧ ଭାବେ ମଲର କର୍ମଚାରୀମାନେ ଅର୍ଗସ ଚ୍ୟାନେଲର ମହିଳା ସାମ୍ୱାଦିକା ସ୍ୱାତୀ ଜେନା ଏବଂ ତାଙ୍କ ଟିମକୁ ଆକ୍ରମଣ କରିଥିଲେ । ଏପରିକି ମହିଳା ସାମ୍ବାଦିକାଙ୍କୁ ଗୋଇଠା ମାରି, କ୍ୟାମେରା ଛଡାଇ ଏକ କୋଠରୀରେ ବନ୍ଦ କରିଥିଲେ।