ପୋଲିସ ଗୁଳିରେ ଆହତ ହେଲା କୁଖ୍ୟାତ ଡକାୟତ ବବ୍‌ଲୁ

କଟକ: ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡର ଗୁଳିରେ କୁଖ୍ୟାତ ଡକାୟତ ସଚିନ୍ ପାୱାର ଓରଫ୍ ବବ୍‌ଲୁ ଆହତ ହୋଇଛି । ତେବେ ଏହି ଘଟଣା ଘଟିଛି କଟକର ନରାଜ ବଜାର ଅଂଚଳରେ । ଆହତ ପରେ ତାକୁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଛି ।

ଗତକାଲି ରାତିରେ ବବ୍‌ଲୁ ନରାଜ ବଜାର ଅଞ୍ଚଳର ଏକ ଘରେ ଥିବା ନେଇ  ଚୌଦ୍ୱାର ପୋଲିସ ଖବର ପାଇଥିଲା। ଏହାପରେ ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ସେଠାରେ ଚଢ଼ଉ କରାଯାଇଥିଲା। ପୋଲିସକୁ ଦେଖି ବବ୍‌ଲୁ ସହ ଥିବା ତା’ର ଦୁଇ ସହଯୋଗୀ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ହେଲେ ପୋଲିସ ବବ୍‌ଲୁକୁ ଘେରାବନ୍ଦୀ କରିବା ସହ ସରେଣ୍ଡର କରିବାକୁ କହିଥିଲା। କିନ୍ତୁ ବବ୍‌ଲୁ ସରେଣ୍ଡର ନକରି ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ପୋଲିସ ତା’ ଉପକୁ ଗୁଳି ଚଳାଇଥିଲା। ଏଥିରେ ବବ୍‌ଲୁର ଡାହାଣ ଗୋଡ଼ରେ ବୁଳି ବାଜିଥିଲା। ଏହି ଗୁଳିବିନିମୟରେ ଚୌଦ୍ୱାର ଥାନାର ୩ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ବବ୍‌ଲୁ ଠାରୁ ଗୋଟିଏ ବନ୍ଧକୁ ଜବତ କରାଯାଇଛି। ତା’ ନାଁରେ ଏକାଧିକ ମାମଲା ରହିଛି। ସେ ଏକ ଡାକାୟତ ଗ୍ୟାଙ୍ଗ୍‌ର ମୁଖ୍ୟ ସଦସ୍ୟ ଥିଲା। ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ଲୁଟ୍‌, ରାହାଜାନି ଓ ଡକାୟତି ଘଟଣାରେ ତା’ର ସଂପୃକ୍ତି ରହିଛି। ସେହିଭଳି ଗତକାଲି ଏକ ସୁନା ଦୋକାନରୁ ଲୁଟ୍ ଉଦ୍ୟମ ବେଳେ ସେହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଚୌଦ୍ୱାରା ପୋଲିସ ଗିରଫ କରିଥିଲା।