ପିପିଲ: ପୁରୀ ଜିଲ୍ଲାର ପିପିଲର ପୃଥକ୍ ପୃଥକ୍ ସ୍ଥାନରେ ଦନ୍ତା ହାତୀର ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ଏହି ଘଟଣାରେ ୫ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତେବେ ମୃତକମାନେ ହେଲେ; ଯୁଗଳ ଭଟ୍ଟ, ମକର ପଲେଇ ଓ ଚୈତନ୍ୟ ସାହୁ।
ଆଜି ସକାଳେ ବଳଙ୍ଗା ଗୋପୀନାଥପୁର ଗାଁର ଯୁଗଳ ଭଟ୍ଟ ଶୌଚ ପାଇଁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଚନ୍ଦ୍ରାଦେଈପୁର ଗାଁର ମକର ପଲେଇ ଆଜି ସକାଳେ ପରିବା ଜମିରେ କାମ କରୁଥିବା ବେଳେ ହାତୀ ତାଙ୍କ ଛାତି ଉପରେ ଗୋଡ଼ ପକାଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଚୈତନ୍ୟ ସାହୁଙ୍କ ଘର ରାଜତଇ ଗାଁରେ।
ଗତକାଲି ସନ୍ଧ୍ୟାରେ ଚନ୍ଦକା ଅଂଚଳରୁ ଏକ ଦନ୍ତା ହାତୀ ଆସି ଡେଲାଙ୍ଗ ଅଂଚଳର କୁଆପଦାରେ ପ୍ରବେଶ କରିଥିଲା। ଖବର ପାଇ ବନ ବିଭାଗ ହାତୀ ଉପରେ ନଜର ରଖିଥିଲା। ହେଲେ ରାତି ପ୍ରାୟ ୯ଟା ପରେ ବନ ବିଭାଗ ହାତୀର ଗତିବିଧି ଉପରେ କିଛି ଜାଣି ପାରି ନଥିଲା। ଆଉ ଆଜି ସକାଳେ ତିନୋଟି ଜୀବନ ଚାଲିଗଲା।
ସରକାରୀ ନିୟମ ଅନୁଯାୟୀ, ଏହି ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମିଳିବା ନେଇ ସୂଚନା ମିଳିଛି।