ହାତୀ ଆକ୍ରମଣରେ ୨ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଖୋର୍ଦ୍ଧା: ଜଙ୍ଗଲ ଛାଡି ଖାଦ୍ୟ ଅନ୍ବେଷଣରେ ଜନବସତି ମୁଁହା ଜଙ୍ଗଲୀ ହାତୀ । ସେଥିପାଇଁ ବିଭିନ୍ନ ସମୟରେ ବ୍ୟାପକ ଧନ ଜୀବନ ନଷ୍ଟ ହେଉଛି । ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଟାଙ୍ଗୀ ରେଞ୍ଜର ହଜ ଏବଂ କଲରାଝର ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଦୁଇଜଣଙ୍କ ଜୀବନ ହାନି ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ହେଲେ ଏ ପର୍ଯ୍ୟନ୍ତ କୌଣସି ବନ ଅଧିକାରୀ ସେଠାରେ ପହଂଚି ନଥିବାରୁ ଉତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।

ଭୋର ସମୟରେ ମୃତକ ଦୁଇ ଜଣ ନିଜ ନିଜ ଘରେ ଶୋଇଥିବା ଅବସ୍ଥାରେ ହାତୀ ଆକ୍ରମଣ କରିଥିଲା । ଫଳରେ ହଜ ଗ୍ରାମର ବଂଶୀଧର ଛୁଆଳ ସିଂ ଏବଂ କଲରାଝର ଗ୍ରାମର ସନାତନ ପ୍ରଧାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସେହିପରି ନିଜ ବାଡିକୁ ପରିସ୍ରା ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ କଲରାଝର ଗ୍ରାମର ବ୍ରଜବନ୍ଧୁ ସାହୁ । ତେବେ ସେ ଗୁରୁତର ଆହତ ଅବସ୍ଥାରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।