କେନ୍ଦୁଝରରେ ହାତୀ ଆକ୍ରମଣରେ ୨ ମୃତ

କେନ୍ଦୁଝର: କେନ୍ଦୁଝରରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ କାନପୁରର ସଞ୍ଜୁଲତା ରାଉତ ଓ ନୂଆରଗୋଡ଼ି ଗାଁର ଜଗନ୍ନାଥ ମଲ୍ଲିକ ।

ସୋସ ଥାନା ହଦଗଡ଼ ବନଖଣ୍ଡ ଅନ୍ତର୍ଗତ କାନପୁର ଗାଁର ସୁଞ୍ଜୁଲତା ନିଜ ଆମ୍ବ ବଗିଚାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ହାତୀ ମହିଳାଙ୍କୁ ଦଳି ମାରି ଦେଇଥିଲା । 

ସେହିପରି ନୂଆରଗୋଡ଼ି ଗାଁର ଜଗନ୍ନାଥ ମଲ୍ଲିକ୍‌ ବାଇକରେ ଯାଉଥିବାବେଳେ ଅଚାନକ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଧନୁର୍ଜୟପୁରଠାରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଥିଲେ । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଛି ।