ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର; ଡାକ୍ତରଖାନାରେ ଭର୍ତି

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଏକ ନରହନ୍ତା ହାତୀ ଜଣେ ମହିଳାକୁ ଆକ୍ରମଣ କରିଛି । ଫଳରେ ଏହି ଘଟଣାରେ ଜଣେ ମହିଳା ଗୁରୁତର ହୋଇଥିବାର ଖବର ମିଳିଛି । ଗୁରୁତର ମହିଳାଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତି କରାଯାଇଛି। ସକାଳ ୫ ଟା ୩୦ ରେ ମହିଳାଙ୍କୁ ଆକ୍ରମଣ କରିଥିବାର ସୂଚନା ମିଳିଛି ।

ଗତ ତିନି ଦିନ ହେଲା ପିପିଲି, ଡେଲାଙ୍ଗ ଏବଂ ନିମାପଡା ଅଂଚଳରେ ଘୁରି ବୁଲୁଥିବା ନରହନ୍ତା ହାତୀ ବନବିଭାଗକୁ ଚକମା ଦେଇ ଭୁବନେଶ୍ୱର ଉପକଣ୍ଠରେ ପହଂଚିଥିବା କୁହାଯାଉଛି । ରାତି ଅଧରୁ ବନବିଭାଗ ହାତୀର ଟେର ପାଉନ ଥିବା ବେଳେ ଆଜି ରାଜଧାନୀ ଉପକଣ୍ଠରେ ଦନ୍ତାହାତୀଟି ଥିବାର ଜାଣିବାକୁ ପାଇଛି ବନବିଭାଗ । ତେବେ ଗଙ୍ଗୁଆ ନଦୀ ପାର ହୋଇ ହାତୀଟି ଭୁବନେଶ୍ୱର ଆସିଥିବା ସନ୍ଦେହ କରାଯାଉଛି । ଡେଲାଙ୍ଗ, ଖୋର୍ଦ୍ଧା, ଟାଙ୍ଗୀ , ବାଲିପାଟଣା ଓ ଗୋପ ବନବିଭାଗ ଟିମ୍ ସହ ପିପିଲି ଓ ବଳଙ୍ଗା ପୋଲିସ, ହାତୀକୁ କାବୁ କରିବାକୁ ଉଦ୍ୟମ କରୁଛନ୍ତି । ହାତୀ ଘଉଡ଼ାଇବାରେ ବନବିଭାଗର ୭୦ କର୍ମଚାରୀ ଲାଗିଛନ୍ତି । ଡାକବାଜି ଯନ୍ତ୍ରରେ ବାହାରକୁ ନ ବାହାରିବାକୁ ସ୍ଥାନୀୟ ଅଂଚଳର ଲୋକଙ୍କୁ କୁହାଯାଉଥିବା ଜଣାଯାଇଛି ।

ପିପିଲି ଓ ନିମାପଡ଼ା ଅଂଚଳରେ ବଣୁଆ ହାତୀ ୪ ଜଣଙ୍କ ଜୀବନ ନେଇଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଖୋର୍ଦ୍ଧା ବନଖଣ୍ଡରୁ ଭାର୍ଗବୀ ଓ ଦୟା ନଦୀ ପାର କରି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଦେଇ ପିପିଲିକୁ ହାତୀଟି ପଶି ଆସିଥିଲା । ଆତଙ୍କ ଖେଳାଇଥିବା ବଣୁଆ ହାତୀ ବର୍ତମାନ ପିପିଲି ଛାଡ଼ି ଭୁବନେଶ୍ୱର ଉପକଣ୍ଠରେ ପହଂଚିଛି । ହାତୀକୁ ଘଉଡ଼ାଇବାକୁ ବନବିଭାଗର ଟିମ୍ ଉଦ୍ୟମ କରୁଛନ୍ତି । ପିପିଲି ଏନଏସିର ୧୬ଟି ୱାର୍ଡକୁ ସିଲ୍ କରାଯାଇଛି । ସ୍ଥାନୀୟ ଅଂଚଳକୁ ଅନ୍ଧାର କରିଦିଆଯାଇଛି । ହାତୀକୁ ଖୋର୍ଦ୍ଧା ଆଡ଼କୁ ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି । ପ୍ରଥମଥର ପାଇଁ ପିପିଲି ଅଂଚଳରେ ଆତଙ୍କ ଖେଳାଇଛି ବଣୁଆ ହାତୀ ।