ଆସନ୍ତାକାଲି ପ୍ରକାଶ ପାଇବ ୫ ରାଜ୍ୟର ନିର୍ବାଚନ ଫଳାଫଳ; କିଏ ମାରିବ ବାଜି ?

ଆସନ୍ତାକାଲି ଆସିବ ୫ ରାଜ୍ୟର ନିର୍ବାଚନ ଫଳାଫଳ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ସ୍ପଷ୍ଟ ହେବ କିଏ ଗଠନ କରିବେ ସରକାର । ଫାଇନାଲ ଲାଗି ବାଟ ଖୋଲିବ ସେମିଫାଇନାଲ ଫଳାଫଳ । ତେବେ କାଉଣ୍ଟିଂ ପୂର୍ବରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କରିଛନ୍ତି ଗୁରୁତର ଅଭିଯୋଗ । ବାରାଣସୀରେ ଇଭିଏମ ଟ୍ୟାମ୍ପରିଂ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ସେପଟେ ୫ ରାଜ୍ୟରେ ସରକାର ଗଠନ ନେଇ ଏବେଠୁ ଚାଲିଲାଣି ଛକାପଞ୍ଝା । ଗତ ଥର ପରି ଏଥର ଯେପରି ଘଟିବ ନାହିଁ ସେଥିଲାଗି ଗୋଆରେ ଡେରା ପକାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ । ଘୋଡାବେପାର ରୋକିବା ଲାଗି କଂଗ୍ରେସର ବିଧାୟକମାନଙ୍କୁ ଏକ ରିସର୍ଟକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦିଲ୍ଲୀରେ ଥାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି । ତେଣେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଏବେଠାରୁ ରଖିଲାଣି କଡା ସର୍ତ୍ତ । ମୁଖ୍ୟମନ୍ତ୍ରୀ ପଦ ଲାଗି ବାର୍ଗେନ କରିପାରେ ଦଳ । ଯଦି ଉତ୍ତରପ୍ରଦେଶ କଥା କହିବା ତାହାଲେ ସମସ୍ତଙ୍କ ନଜର ଏବେ ରହିଛି ୟୁପି ରେଜଲ୍ଟ ଉପରେ । ୟୁପିରେ ପୁଣି ଥରେ ଯୋଗୀଙ୍କ ସରକାର ହେବ ନା ଅଖିଳେଶଙ୍କ ସରକାର ଗଢ଼ିବେ ତାହା ଆସନ୍ତାକାଲି ସ୍ପଷ୍ଟ ହେବ ।