ନଭେମ୍ବର ୨୯ ସୁଦ୍ଧା ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ

ଭୁବନେଶ୍ୱର:  ନଭେମ୍ବର ୨୯ ତାରିଖ ସୁଦ୍ଧା ଓଡ଼ିଶାର ଦୁଇ ବିଧାନସଭା ଆସନରେ ହେବ ଉପ- ନିର୍ବାଚନ। ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ଆସନ ଏବେ ଖାଲିପଡ଼ିଥିବାବେଳେ ଏହି ଦୁଇ ଆସନରେ ଉପ-ନିର୍ବାଚନ ହେବ।

ବିହାର ନିର୍ବାଚନ ଓ ଦେଶରେ ଖାଲିପଡ଼ିଥିବା ବିଭିନ୍ନ ଆସନରେ ନିର୍ବାଚନ ହେବା ନେଇ ଆଜି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଅରୋରାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା। ଏହି ବୈଠକରେ ନଭେମ୍ବର ୨୯ ତାରିଖ ସୁଦ୍ଧା ବିହାର ନିର୍ବାଚନ ସହିତ ୬୪ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ଉପ ନିର୍ବାଚନ ହେବା ନେଇ ସୂଚନା ମିଳିଛି। ଏପରି ହେଲେ କୋଭିଡ୍ ଗାଇଡଲାଇନକୁ ପାଳନ କରାଯାଇ ବିହାରରେ ନିର୍ବାଚନ ଆୟୋଜନ କରାଯିବ। ଏଥିସହିତ ଏହି ୬୫ଟି ଆସନରେ ମଧ୍ୟ ଉପ-ନିର୍ବାଚନ କରାଯିବ। ଖୁବଶୀଘ୍ର ଏନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି।

କିଛି ଦିନ ତଳେ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ସେଠୀଙ୍କର ବିୟୋଗ ଘଟିଥିଲା। ସେହିଦିନଠାରୁ ଏହି ଦୁଇ ଆସନ ଖାଲି ପଡ଼ିଛି। ତେଣୁ ଏହି ଦୁଇ ଆସନ ପାଇଁ ଖୁବଶୀଘ୍ର ଉପ-ନିର୍ବାଚନ ହେବ।