ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ

ବଲାଙ୍ଗୀର: ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଛି । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ଥାନା ଅଂଚଳରେ । ତେବେ ଏହି ଘଟଣା ରେ ବଡ଼ ଭାଇ ଫେରାର ଥିବା ଜଣାପଡିଛି ।

ପ୍ରକାଶ ଯେ, କଂଟାବାଞ୍ଜି ଥାନା ଅନ୍ତର୍ଗତ ବେହେରେନସିଲେଟ ଗାଁରେ ଗତକାଲି ବିଲମ୍ବିତ ରାତିରେ ବଡ଼ଭାଇ ଶରତ ମାଝି ନିଜ ସାନଭାଇ ଦେବରାମଙ୍କୁ ଡାକିଥିଲେ । କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଟାକଟି ହୋଇଥିଲା ।

ସେହି ସମୟରେ ବଡ଼ଭାଇ ଶରତ ସାନଭାଇ ଦେବରାମଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସାନଭାଇ ଦେବରାମଙ୍କୁ ଏକାଧିକବାର ଟାଙ୍ଗିଆରେ ଚୋଟ ପକାଇବା ଫଳରେ ଘଟଣାସ୍ଥଳରେ ହିଁ ଦେବରାମଙ୍କର ମୃତ୍ୟୁ ହୋଇଥିଲା । ଏହା ଜାଣିପାରି ଶରତ ଫେରାର ହୋଇଯାଇଥିଲେ। ଏହାପରେ ପରିବାର ଲୋକେ ଦେବରାମଙ୍କୁ କଂଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରେ ଘଟଣା ସଂପର୍କରେ ଖବର ପାଇ କଂଟାବାଞ୍ଜି ଥାନା ପୋଲିସ ବେହେରେନସିଲେଟ ଗାଁରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ତେବେ କେଉଁ କଥାକୁ ନେଇ ଏହି ହତ୍ୟାକାଣ୍ଡ ହେଲା ବର୍ତମାନ  ସୁଦ୍ଧା ତାହା ଜଣାପଡ଼ିନାହିଁ ।