ନୂଆଦିଲ୍ଲୀ: ରବିବାର ସକାଳେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୬ ଥର ବିସ୍ଫୋରଣ ହୋଇଥିବା କଥା ଶ୍ରୀଲଙ୍କା ପୁଲିସ କହିଥିବା ବେଳେ ଅପରାହ୍ନ ସୁଦ୍ଧା ଆଠ ଥଣ ବିସ୍ଫୋରଣ ହୋଇ ସାରିଲାଣି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ଅନ୍ୟୂନ ୧୮୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦୦ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଉତ୍ତର କଲମ୍ବୋର କାଟୁଆପିଟିୟାର ସେଣ୍ଟ୍ ସେସ୍ବାସ୍ତିଆନ୍ ଗୀର୍ଜାରେ ପ୍ରଥମ ବିସ୍ଫୋରଣ ହୋଇଥିଲା ଓ ଏଥିରେ ୫୦ରୁ ଅଧିକ ବ୍ୟକ୍ତି ମରିଛନ୍ତି। ପୂର୍ବାଞ୍ଚଳ ପ୍ରଦେଶର ବାଟ୍ଟିକାଲୋଆର ଗୀର୍ଜାରେ ୨୫ ଜଣ ଲୋକ ମରିଥିବା କଥା ଗଣମାଧ୍ୟ ରିପୋର୍ଟ କରିଛି। ଏଥିରେ ପ୍ରାୟ ୩୦୦ ଜଣ ଆହତ ହୋଇ ବାଟ୍ଟିକାଲୋଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଅଧିକାରୀଙ୍କ କଥାରୁ ଉଦ୍ଧାର କରି ଶ୍ରୀଲଙ୍କାର ‘ଡେଲି ମିରର୍’ ରିପୋର୍ଟ କରିଛି ଯେ ବାଟ୍ଟିକାଲୋଆର ଗୋଟାଏ ଗୀର୍ଜାରେ ବିସ୍ଫୋରଣ ଘଟିଛି। ସହରର ଦୁଇଟି ପଞ୍ଚତାରକା ହୋଟେଲ୍ରେ ମଧ୍ୟ ବିସ୍ଫୋରଣ ଘଟିଛି।
ଅନ୍ଲଙ୍କା ଡଟ୍ କମ୍ ରିପୋଟ୍ ଅନୁସାରେ, ଗୋଟିଏ ବିସ୍ଫୋରଣ କୋଚ୍ଚିକାଡ଼େର ସେଣ୍ଟ୍ ଆନ୍ଥୋନି ଗୀର୍ଜା ଏବଂ ଅନ୍ୟ ଗୋଟିଏ ବିସ୍ଫୋରଣ କାଟୁଆପିଟିୟାର ସେଣ୍ଟ୍ ସେସ୍ବାସ୍ତିଆନ୍ ଗୀର୍ଜାରେ ହୋଇଛି। ବିଦେଶୀ ପର୍ଯ୍ୟଟକଙ୍କ ସମେତ ୮୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଆହତ ହୋଇଥିବା କଥା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଥିଲା। ଇଷ୍ଟର୍ ଅବସରରେ ନିର୍ଦ୍ଦିଷ୍ଟ ଭାବେ ଗୀର୍ଜାକୁ ଯାଉଥିବା ଲୋକଙ୍କୁ ଟାର୍ଗେଟ୍ କରାଯାଇଥିବା ଅନୁମାନ କରାଯାଉଛି। ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ୍ କରିଛନ୍ତି ଯେ ଭାରତ ସରକାର ଓ ଭାରତର ଦୂତ ଶ୍ରୀଲଙ୍କାର ପରିସ୍ଥିତି ଉପରେ ନିଘା ରଖିଛନ୍ତି।