ବଦଳିବ ଯୁକ୍ତ ତିନି ପାଠ୍ୟଖସଡ଼ା : ସବୁ ବିଶ୍ୱବିଦ୍ୟାଳୟରେ ଏକକ ପାଠ୍ୟକ୍ରମ

ଭୁବନେଶ୍ୱର : ବଦଳିବ ଯୁକ୍ତ ତିନି ପାଠ୍ୟଖସଡ଼ା । ୨୦୧୯-୨୦ ଶିକ୍ଷାବର୍ଷରୁ ଲାଗୁ ହେବ ମଡେଲ୍ ୟୁଜି(ସ୍ନାତକ) କୋର୍ସ । ଫଳରେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଯୁକ୍ତ ତିନି ଲାଗି ପ୍ରଚଳନ ହେବ ଗୋଟିଏ ପାଠ୍ୟକ୍ରମ । ସେହିପରି ପିଜି ପାଠ୍ୟକ୍ରମରେ ନାମ ଲେଖାଲାଗି ମଧ୍ୟ ଏକକ ପରୀକ୍ଷା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଗୁରୁବାର ଟେକ୍ସଟ୍ ବୁକ୍ ପରିସରରେ ବସିଥିବା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଉଚ୍ଚଶିକ୍ଷା ପରିଷଦର ପ୍ରକଳ୍ପ ନିର୍ଦ୍ଦେଶକ ବି ପରମେଶ୍ୱରନ୍ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷାରମାନ ବୃଦ୍ଧି ଲାଗି ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ପିଜି ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷାକୁ ଷ୍ଟୁଡେଣ୍ଟ ସିଷ୍ଟମ ପରିଚାଳନା କରିବ । ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ଗୋଟିଏ ମାନଦଣ୍ଡରେ ତଉଲିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି ।

ଶିକ୍ଷାକୁ ନିଯୁକ୍ତି ଭିତ୍ତିକ କରିବା, ଜାତୀୟସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷାରେ ରାଜ୍ୟର ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବା, ଉଚ୍ଚତର ଗବେଷଣା ଓ ସର୍ବୋପରି ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଲାଗି ନବଗଠିତ ଉଚ୍ଚଶିକ୍ଷା ପରିଷଦ ଏହି ସବୁ ସଂସ୍କାର ଆଣିବାକୁ ସ୍ଥିର କରିଛି । ବୈଠକରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ପିଜି କାଉନସିଲ୍ ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ଉପସ୍ଥିତ ଥିଲେ । ସେହିପରି ଏକକ ପିଜି ପ୍ରବେଶିକା ଲାଗି ସ୍ନାତକରେ ସର୍ବନିମ୍ନ ୪୫ପ୍ରତିଶତ ମାର୍କ ରଖିବାକୁ ପଡ଼ିବ ।

ଉକ୍ରଳ ବିଶ୍ୱବିଦ୍ୟାଳୟ କଳା, ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜ୍ଞାନ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କମର୍ସ ବିଭାଗ ଏହି ପ୍ରବେଶିକା ପରୀକ୍ଷା ପରିଚାଳନା କରିବେ । ଆଗକୁ ଯୁକ୍ତ ତିନି ପାଠ୍ୟକ୍ରମରେ କିଛି ନୂଆ କୋର୍ସ ଖୋଲିବା ଲାଗି ଯୋଜନା ରହିଛି । ଏହି ସବୁ ପାଠ୍ୟକ୍ରମ ଲାଗି ବିଦେଶୀ ଗେଷ୍ଟ୍ ଫାକଲ୍ଟିଙ୍କ ଦ୍ୱାରା ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେହିପରି ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ଯୁକ୍ତ ତିନି ପାଠ୍ୟକ୍ରମର ରୂପରେଖ ଚୂଡାନ୍ତ ହେବ ।