ଚିଦାଙ୍କୁ ଗିରଫ କରିବାକୁ ଇଡିର ଆବେଦନ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିଛି। ଏହି ଘଟଣାରେ ଚିଦାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ଏହି ମାମଲାରେ ତାଙ୍କୁ ଗିରଫ କରିବା ପାଇଁ ଆଜି ଇଡି ଦିଲ୍ଲୀ କୋର୍ଟରେ ଆବେଦନ କରିଛି। ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାରଙ୍କୁ କହିଛନ୍ତି ଯେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ବେଳେ ଚିଦାଙ୍କୁ ବିଚାର ବିଭାଗୀୟ ହାଜତକୁ ନେଇ ଜେରା କରିବା ଜରୁରୀ ବୋଲି ହୃଦୟଙ୍ଗମ କରିଥିଲେ। ଆଇଏନଏକ୍ସ ମିଡିଆ ଘଟଣାରେ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି।

ସିବିଆଇ ଏହାର ଅପରାଧିକ ଦିଗର ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲେ। ଏବେ ଇଡି ତାଙ୍କୁ ଗିରଫ କରିବା ସହ ରିମାଣ୍ଡରେ ନେବାକୁ ଚାହୁଁଛି।”

ତେବେ ଏହାକୁ ଚିଦାଙ୍କ ଓକିଲ କିପିଲ ଶିବଲ ବିରୋଧ କରିଥିଲେ। ସେ କହିଥିଲେ, “ସମାନ ଘଟଣାରେ ସିବିଆଇ ଚିଦାମ୍ବରମଙ୍କୁ ରିମାଣ୍ଡରେ ନେଇସାରିଛି। ତେଣୁ ଇଡି ତାଙ୍କୁ ରିମାଣ୍ଡରେ ନେବାର କୌଣସି ଅଧିକାର ନାହିଁ।” କୋର୍ଟ ଏହା ଉପରେ କ’ଣ ନିଷ୍ପତ୍ତି ନେଇଛନ୍ତି, ସେକଥା ଏଯାଏ ଜଣାପଡ଼ିନାହିଁ।

ଅନ୍ୟପକ୍ଷରେ ଅଗଷ୍ଟ ୨୧ରୁ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚିଦାମ୍ବରମଙ୍କ ତିହାର ଜେଲରେ ରହିବା ଅବଧି ଅକ୍ଟୋବର ୧୭ରେ ସରିବ। ହେଲେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଚିଦାଙ୍କ ଜାମିନ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି।