ଚିଦାମ୍ବରମଙ୍କୁ ଜେରା ପାଇଁ ତିହାଡ ଜେଲରେ ଇଡି ଅଧିକାରୀ

ନୂଆଦିଲ୍ଲୀ:ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀ ମାନେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଜେରା କରିବା ପାଇଁ ତିହାଡ ଜେଲରେ ପହଁଚିଛନ୍ତି । ଗତକାଲି ବିଶେଷ ଅଦାଲତ ଇଡିର ତିନିଜଣ ଅଧିକାରୀଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ପଚରାଉତରା କରିବାକୁ ଅନୁମତି ଦେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଚିଦାମ୍ବରମଙ୍କୁ ପୁତ୍ର କାର୍ତୀ ଓ ପତ୍ନୀ ନଳିନୀ ମଧ୍ୟ ତିହାଡ ଜେଲରେ ପହଁଚିଛନ୍ତି ।

ଗତକାଲି କୋର୍ଟ କହିଥିଲେ ଯେ, ଯଦି ଆବଶ୍ୟକ ପଡେ ତେବେ ଇଡି ପଚରାଉଚରା ପରେ ଚିଦାମ୍ବରମଙ୍କୁ ଗିରଫ ମଧ୍ୟ କରିପାରିବ । ଏହା ମଧ୍ୟରେ ସେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଜାମିନ ଆବେଦନ କରିଛନ୍ତି ।

ରାଉଜ ଆଭେନ୍ୟୁ କୋର୍ଟର ବିଶେଷ ନ୍ୟାୟାଧିଶ ଅଜୟ କୁମାର କୁହାର ଇଡିର ଯାଚିକାକୁ ନେଇ କହିଛନ୍ତି ଯେ, ସକାଳ ୮ଟା ୩୦ ପରେ ଇଡି ଚିଦାମ୍ବରମଙ୍କୁ ପଚରାଉଚରା କରିପାରିବ । ପଚରାଉଚରା କରିବା ପରେ ଯଦି ଆବଶ୍ୟକ ପଡେ ତେବେ ଗିରଫ ମଧ୍ୟ କରାଯାଇପାରିବ । ଏହା ପୂର୍ବରୁ ଇଡି ଜେରା ଓ ଗିରଫଦାରି ପାଇଁ ଅପିଲ କରିଥିଲା । ତେବେ ଏହାକୁ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ବିରୋଧ କରିଛନ୍ତି । ଏହା ଠିକ ନୁହେଁ, ଜଣେ ବ୍ୟକ୍ତିର ଗାରିମାକୁ ଧ୍ୟାନରେ ରଖାଯିବା ଉଚିତ । ଏଜେନ୍ସି କେବଳ ତାଙ୍କୁ ଜେଲରେ ଜେରା କରିପାରିବ ବୋଲି ସେ କହିଛନ୍ତି ।

ଏତତ୍ ବ୍ୟତୀତ କୋର୍ଟ ଅକ୍ଟୋବର ୧୦ରେ ଜାରି କରିଥିବା ପ୍ରଡକ୍ସନ ୱାରେଂଟକୁ ରବ୍ଦ କରିବା ପାଇଁ ଚିଦାମ୍ବରମଙ୍କ ଅପିଲକୁ ଖାରଜ କରିଛନ୍ତି । ଯେଉଁଥିରେ ପ୍ରଡକ୍ସନ ୱାରେଂଟ୍ ପୂର୍ବରୁ କୋର୍ଟ ତାଙ୍କ ପକ୍ଷ ଶୁଣିନଥିଲେ ଏବଂ ଏହା ନିୟମ ଅନୁସାରେ ଭୁଲ ବୋଲି ଦର୍ଶାଯାଇଥିଲା ।