ଫାଇଲ୍ ହୋଇନି ପାଠକଙ୍କ ଆକାଉଣ୍ଟରେ ୧୪ କୋଟି ଜମାର ଆୟକର ରିଟର୍ଣ୍ଣ : ତଦନ୍ତ କରିବ ED ଓ IT !

କାରବାରର ତଦନ୍ତ ଇନକମ ଟ୍ୟାକ୍ସ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ପରିସରଭୁକ୍ତ

ଭୁବନେଶ୍ୱର: ଆକାଉଣ୍ଟରେ କୋଟି କୋଟି ଟଙ୍କାର ସନ୍ଦିଗ୍ଧ କାରବାର । ପ୍ରତିପତି ଦେଖାଇ ବେନିୟମ୍ କାରବାର କରୁଥିଲେ ଗିରଫ ପାଠକ ବାପ-ପୁଅ । ଖୋଳତାଡ଼ ପରେ ଭିଜିଲାନ୍ସ ହାତରେ ଲାଗିଛି ପ୍ରମାଣ । ନିଲମ୍ବିତ IFS ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ICICI ଓ HDFC ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା ଏହି ନେଣଦେଣରେ ଆୟକର ଦିଆ ଯାଇନାହିଁ ।
୯ କୋଟି ୪୮ ଲକ୍ଷ ଟଙ୍କାର ବଡ଼ ଅର୍ଥ ଆକାଉଣ୍ଟରେ ସିଧାସଳଖ ଜମା ହୋଇଥିବା ବେଳେ ୫ କୋଟି ୨୯ ଲକ୍ଷ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ଏହିପରି ଭାବେ ଆକାଶଙ୍କ ଆକାଉଣ୍ଟରେ ମୋଟ ଜମା ହୋଇଛି ୧୪ କୋଟି ୭୭ ଲକ୍ଷ ଟଙ୍କା । ବିପୁଳ ଟଙ୍କା ଜମା ହୋଇଥିଲେ ବି ଟଙ୍କାଟିଏ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି ନିଜକୁ ଟାଟା ମୋଟର୍ସ ଏମଡି ବୋଲାଉଥିବା ଆକାଶ ପାଠକ । ରେଡ୍ ବେଳେ ଏନେଇ ଭିଜିଲାନ୍ସ ଜାଣିବାକୁ ପାଇଥିଲା ।


ଏହାକୁ ନେଇ ଭିଜିଲାନ୍ସ ସନ୍ଦେହ କରିବା ସହ ଏଥିରେ ସନ୍ଦିଗ୍ଧ ଓ ବେନାମୀ କାରବାର ହୋଇଥିବା ଅନୁମାନ କରିଛି । ଏଭଳି ସନ୍ଦିଗ୍ଧ କାରବାରର ତଦନ୍ତ ଇନକମ ଟ୍ୟାକ୍ସ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ପରିସରଭୁକ୍ତ । ତେଣୁ, ଭିଜିଲାନ୍ସ ଏହି ମାମଲାରେ ମନି ଲଣ୍ଡରିଂ ଓ ଆୟକର ଦାଖଲର ତଦନ୍ତ ଲାଗି ଇନକମ୍ ଟ୍ୟାକ୍ସ ଓ ଇଡିକୁ ସୁପାରିସ୍ କରିଛି । ଘରୋଇ ବ୍ୟାଙ୍କରେ ବିପୁଳ ଅର୍ଥ ଜମା ନେଇ ୩ ବ୍ୟାଙ୍କର ଅଧିକାରୀଙ୍କୁ SIT ପଚରାଉଚରା କରୁଛି ।
ଏତେ ପରିମାଣର ଟଙ୍କା କାରବାର ଆକାଶଙ୍କ ଆକାଉଣ୍ଟରେ ହୋଇଥିବା ବେଳେ ଜମି ବିକି ଟଙ୍କା ଜମା କରିଥିବା ଜେରା ବେଳେ ଅଭୟକାନ୍ତ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ତେବେ, ଏହା ଡାହା ମିଛ । କାରଣ ଅଭୟକାନ୍ତଙ୍କ ନାଁରେ କୌଣସି ଜମି ନଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ । ଗିରଫ ବାପ-ପୁଅଙ୍କୁ SIT ଆଜିଠୁ ତିନିଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ଜେରାରୁ ଅଭୟଙ୍କ ଅମାପ ସମ୍ପତ୍ତିର ଆହୁରି ଗୁମର ଖୋଲିବ ବୋଲି ଆଶା ରଖିଛି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ।

ed & it to investigate ifs officer abayakant pathak bank account  transaction