ମନି ଲଣ୍ଡ୍ରିଂ ମାମଲା: ଚନ୍ଦା କୋଚରଙ୍କ ସମ୍ପତି ଜବତ

ନୂଆଦିଲ୍ଲୀ: ବଢିଲା ଚନ୍ଦା କୋଚରଙ୍କ ଅଡୁଆ। ଭିଡିଓକନ ଋଣ ଜାଲିଆତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚର ଓ ତାଙ୍କ ପରିବାରର ପ୍ରାୟ ୭୮ କୋଟି ଟଙ୍କାର ସମ୍ପତି ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି)। ଏଥିରେ ତାଙ୍କର ମୁମ୍ବାଇ ସ୍ଥିତ ଫ୍ଲାଟ ଓ ସ୍ବାମୀ ଦୀପକ କୋଚରଙ୍କ କିଛି ସମ୍ପତି ମଧ୍ୟ ରହିଛି।

୨୦୧୯ ମାର୍ଚ୍ଚ ୧ ତାରିଖରେ ଇଡି ପକ୍ଷରୁ ଚନ୍ଦା କୋଚର ଓ ଭିଡିଓକନ କମ୍ପାନୀ ମୁଖ୍ୟ ବେଣୁଗୋପାଳ ଧୂତଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଥିଲା। ଏହା ପୂର୍ବରୁ ଚନ୍ଦାଙ୍କ ବିରୋଧରେ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ) ଲୁକଆଉଟ ନୋଟିସ ଜାରି କରିଥିଲା । ଭିଡିଓକନକୁ ଦିଆଯାଇଥିବା ବେଆଇନ ଋଣ ମାମଲାର ଯାଂଚ ପାଇଁ ବାରମ୍ବାର ଚନ୍ଦା କୋଚରଙ୍କୁ ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା।

୨୦୧୨ରେ ଭିଡିଓକନ ଗ୍ରୁପକୁ ଆଇସିଆଇସିଆଇ ପକ୍ଷରୁ ୩୨୫୦ କୋଟି ଟଙ୍କାର ଋଣ ଦିଆଯାଇଥିଲା। ଆଉ ଏହି ସମୟରେ ବ୍ୟାଙ୍କର ପ୍ରମୁଖ ଭାବେ ଚନ୍ଦା କୋଚର କାର୍ଯ୍ୟଭାର ସମ୍ଭାଳୁଥିଲେ। ଏହି ଋଣ ନେଣଦେଣରେ ଅନିୟମତା ଦେଖାଯାଇଥିବାରୁ ସମସ୍ତଙ୍କ ନଜରକୁ ଚନ୍ଦା କୋଚର ଆସିଥିଲେ। ଫଳରେ ବାଧ୍ୟ ହୋଇ ତାଙ୍କୁ ପଦବୀ ଛାଡିବାକୁ ପଡିଥିଲା।