ରେଳ ସଂରକ୍ଷା ଆୟୁକ୍ତଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଓ ମହୀପୁର ରେଳ ଲାଇନର ନୀରିକ୍ଷଣ
ଖୋର୍ଦ୍ଧା : ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ୨୮୯ କି.ମି. ବିଶିଷ୍ଟ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ର ନୟାଗଡ଼ ଟାଉନ ଓ ମହୀପୁର ମଧ୍ୟରେ ୧୨ କି.ମି. ରେଳ ଲାଇନ କୁ ଦକ୍ଷିଣ ପୂର୍ବ ପ୍ରାନ୍ତର ରେଳ ସଂରକ୍ଷା ଆୟୁକ୍ତ ଶ୍ରୀ ଏ. କେ. ରାଇ ଆଜି ନୀରିକ୍ଷଣ କରିଛନ୍ତି I ପୂର୍ବତଟ ରେଳପଥ ର ପ୍ରମୁଖ ଯନ୍ତ୍ରୀ ଶ୍ରୀ ନରୋତ୍ତମ ସିଂ ଉଇକେ ରେଳ ସଂରକ୍ଷା ଆୟୁକ୍ତଙ୍କ ସହିତ ଏହି ନୀରିକ୍ଷଣ ରେ ସହାୟତା କରିଥିଲେ I
ରେଳ ଚଳାଚଳ କ୍ଷେତ୍ରରେ ସଂରକ୍ଷା ଦୃଷ୍ଟିରୁ ରେଳଧାରଣା ସହିତ ଅନ୍ୟାନ ସଂରକ୍ଷା ସମ୍ବନ୍ଧୀୟ କାର୍ଯ୍ୟାବଳୀକୁ ତନ୍ନତନ୍ନ କରି ନୀରିକ୍ଷଣ କରି ସାରିବା ପରେ ଟ୍ରେନ ଚଳାଚଳ ପାଇଁ ଉପଯୁକ୍ତ ବୋଲି ରେଳ ସଂରକ୍ଷା ଆୟୁକ୍ତଙ୍କ ଅନୁମୋଦନ ପଇସାରିବାପରେ ନୟାଗଡ଼ ଟାଉନ ଠାରୁ ମହୀପୁର ପର୍ଯ୍ୟନ୍ତ ରେଳ ଚଳାଚଳ କରାଯିବ I ରେଳ ସଂଯୋଗ ନଥିବା ଅପହଞ୍ଚ ଅଞ୍ଚଳରେ ଲୋକମାନଙ୍କ ଆବେଗ କୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଶୀଘ୍ର ସମ୍ପାଦନ କରିବା ପାଇଁ ରେଳବାଇ ପକ୍ଷରୁ ପ୍ରକଳ୍ପ ର ଉଭୟ ପାର୍ଶ୍ୱରୁ ଅର୍ଥାତ ଉଭୟ ଖୋର୍ଦ୍ଧା ରୋଡ଼ ଓ ବଲାଙ୍ଗୀର ପାର୍ଶ୍ୱରୁ କାର୍ଯ୍ୟ ଚାଲୁ ରହିଅଛି I
ଏଠାରେ ଦର୍ଶାଯାଇପାରେ ଯେ ଏହି ପ୍ରକଳ୍ପ ର ୮୦ କି.ମି. ରେଳ ଲାଇନ ର ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଇସାରିଛି I ସେଥି ମଧ୍ୟରୁ ଖୋର୍ଦ୍ଧା ରୋଡ଼ ଠାରୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ୬୫ କି.ମି. ଏବଂ ବଲାଙ୍ଗୀର ଠାରୁ ବିଛୁପାଲ୍ଲୀ ପର୍ଯ୍ୟନ୍ତ ୧୫ କି.ମି. ରେଳ ଲାଇନ ଅନ୍ତର୍ଭୁକ୍ତ I ଏବେ ନୟାଗଡ଼ ଟାଉନ ଠାରୁ ମହୀପୁର ପର୍ଯ୍ୟନ୍ତ ୧୨ କି.ମି. ରେଳ ଲାଇନ କାର୍ଯ୍ୟ ସମାପ୍ତ ସରିଛି ଏବଂ ଏହା ରେଳ ସଂରକ୍ଷା ଆୟୁକ୍ତ ଙ୍କ ଅନୁମୋଦନ ଅପେକ୍ଷାରେ ଅଛି I ସର୍ବମୋଟ ଏହି ପ୍ରକଳ୍ପ ର ୯୨ କି.ମି. ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମାପ୍ତ ସାରିଛି I
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୫ ମସିହା ଜୁଲାଇ ମାସ ୧୬ ତାରିଖ ରେ ଖୋର୍ଦ୍ଧା ରୋଡ଼ ଠାରୁ ବେଗୁନିଆ ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୦୧୫ ନଭେମ୍ବର ୩ ତାରିଖ ରେ ବେଗୁନିଆ-ରାଜସୁନାଖଳା, ୨୦୧୭ ମାର୍ଚ୍ଚ ୨୦ ତାରିଖ ରେ ରାଜସୁନାଖଳା-ବୋଲଗଡ଼ ରୋଡ଼, ୨୦୧୭ ଜୁନ ୧୯ ତାରିଖ ରେ ବୋଲଗଡ଼ ରୋଡ଼-ନୟାଗଡ଼ ଟାଉନ ଏବଂ ୨୦୧୯ ଜାନୁୟାରୀ ମାସ ୧୫ ତାରିଖ ରେ ବଲାଙ୍ଗୀର-ବିଛୁପାଲ୍ଲୀ ମଧ୍ୟରେ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇ ସାରିଛି I ଏବେ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୯୫୬ କୋଟି ଟଙ୍କା ବ୍ୟୟ ସରିଛି I
ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମୋଦନ ପାଇବା ପର୍ଯ୍ୟନ୍ତ ନୟାଗଡ଼ ଟାଉନ ଠାରୁ ମହୀପୁର ମଧ୍ୟରେ ନୂତନ ରେଳ ଲାଇନ ରେ ଟ୍ରେନ କିମ୍ବା ଟ୍ରେନ ଇଞ୍ଜିନର ପରୀକ୍ଷାମୂଳକ ଚଳାଚଳ ଚାଲୁରହିବ I ଏହି ଅଞ୍ଚଳ ର ସାଧାରଣ ଜନତା ରେଳ ଲାଇନ ଠାରୁ ଦୁରେଇ ରହିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ କରାଯାଇଥିବାବେଳେ ନିକଟସ୍ଥ ସାଧାରଣ ଜନତା ସେମାନଙ୍କ ଗୃହପାଳିତ ପଶୁ କିମ୍ବା ଅନ୍ୟ ପଶୁମାନଙ୍କୁ ରେଳ ଲାଇନ ପାଖକୁ ନଛାଡିବାକୁ ପରାମର୍ଶ ଦିଆଯାଇଅଛି ଯାହାଦ୍ୱାରା କୌଣସି ଅଘଟଣ କିମ୍ବା ଦୁର୍ଘଟଣା କୁ ଦୂର କରିହେବ I