ଭୁବନେଶ୍ବର: ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟକ୍ଷମ ହୋଇଛି ଦେଶର ପ୍ରଥମ ସରକାରୀ ପ୍ରକଳ୍ପ । ଯାହାକୁ ପଲିକ୍ରାକ ବୈଷୟିକ ଓ ପ୍ରଯୁକ୍ତି ପ୍ରଣାଳୀରେ ବ୍ୟବହୃତ କରାଯାଇଛି । ଭିତିପ୍ରସ୍ତର ଠାରୁ କାର୍ଯ୍ୟକ୍ଷମ ପର୍ଯ୍ୟନ୍ତ ମାତ୍ର ତିନି ମାସ ସମୟ ଅବଧିରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ଓ ଯେଉଁଥିରେ ଥରକୁ ୫୦୦ କିଲୋଗ୍ରାମ ବର୍ଜ୍ୟବସ୍ତୁର ପରିଚାଳନାର କ୍ଷମତା ରହିଛି।
ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ଇ-ୱେଷ୍ଟ (ପ୍ରଯୁକ୍ତି ବର୍ଜ୍ୟବସ୍ତୁ) ଗୁଡିକ ହାଲୁକା ଡିଜେଲ ତୈଳରେ ରୂପାନ୍ତରିତ ହେବ ଯାହାକି ହାଲୁକା ଜାଳେଣି ପାଇଁ ବ୍ୟବହୃତ ହୋଇପାରିବ ଓ ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ ସଦସ୍ୟ ରାଜେଶ ଅଗ୍ରୱାଲଙ୍କ ଦ୍ବାରା ପୂର୍ବତଟ ରେଳପଥର ମହାପ୍ରବନ୍ଧଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଉଦଘାଟିତ ହୋଇଛି ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିଚାଳନା ଦ୍ବାରା ପରିବେଶରେ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ଭୟରୁ ମୁକ୍ତି ମିଳିବ ବୋଲି ଜଣାପଡିଛି ।
ପୂର୍ବତଟ ରେଳପଥ, ଭୁବନେଶ୍ବରର ମଂଚେଶ୍ୱରସ୍ଥିତ ରେଳଡବା ମରାମତି କାରଖାନା ଠାରେ ବର୍ଜ୍ୟବସ୍ତୁରୁ ଉର୍ଜା ସଂରକ୍ଷଣ ପ୍ରକଳ୍ପକୁ ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ ମେମ୍ବର ଆଜି ଅପରାହ୍ନରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଓ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଛି ।
ଭୁବନେଶ୍ବର ଠାରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ସହିତ ନୂତନ ଭାବେ ସ୍ଥାପିତ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ ପ୍ଲାଂଟ ଭାରତୀୟ ରେଳବାଇରେ ପ୍ରଥମ ଏବଂ ଦେଶରେ ଚତୁର୍ଥ ପ୍ଲାଂଟ ଯାହାକୁ ପଲିକ୍ରାକ ପଦ୍ଧତି କୁହାଯାଉଅଛି ଓ ଏହା ବିଶ୍ବର ପ୍ରଥମ ପେମେଂଟ ବିଷମ ଉତପ୍ରେରକ ପ୍ରକ୍ରିୟା ଯାହାକି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ହାଇଡ୍ରୋକାର୍ବନ ତରଳ ଇନ୍ଧନ, ଗ୍ୟାସ, କାର୍ବନ ଏବଂ ଜଳରେ ରୂପାନ୍ତରିତ କରିଥାଏ ।
ଏହି ପଲିକ୍ରାକ ପଦ୍ଧତି ପ୍ଲାଂଟ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ପେଟ୍ରୋଲଜାତ ଆବର୍ଜନା, ୫୦ ଭାଗ ଆଦ୍ରତା ଥିବା ଅଲଗା ହୋଇନଥିବା ବିଭିନ୍ନ ପ୍ରକାର ଅଳିଆ, ଇ-ୱେଷ୍ଟ, ଗାଡିମଟର ଗୁଡିକର ଆବର୍ଜନା, ଅର୍ଗାନିକ ୱେଷ୍ଟ ସହିତ ବାଉଁଶ ଜାତୀୟ ପଦାର୍ଥ, ବଗିଚା ଗୁଡିକର ବର୍ଜ୍ୟବସ୍ତୁ, ଅନାବନା ବୃକ୍ଷ ଯଥା ଯାଥ୍ରୋପା ଫଳ କିମ୍ବା ଖଜୁରୀ ଜାତୀୟ ଫଳର ଗୋଚ୍ଛା ଗୁଡିକୁ ବ୍ୟବହାର କରି ଉର୍ଜା ବା ଇନ୍ଧନ ସୃଷ୍ଟି କରିପାରିବ ।