ଚନ୍ଦ୍ରଯାନ-୨ ପ୍ରଥମ ସଫଳତା: ମହାକାଶରୁ ପଠାଇଲା ପୃଥିବୀର ଫଟୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ପ୍ରଥମ ଥର ପୃଥିବୀ ପୃଷ୍ଠର ସୁନ୍ଦର ଫଟୋ ପଠାଇଛି। ଏଲଆଇ୪ କ୍ୟାମେରା ସହାୟତାରେ ଏହି ଫଟୋ ଅଗଷ୍ଟ ୩ ତାରିଖରେ ଉତ୍ତୋଳନ କରାଯାଇଛି ବୋଲି ଜଣାପଡିଛି। ଏହି ଫଟୋ ଗୁଡିକୁ ରବିବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଟ୍ୱିଟରରେ ସେୟାର କରାଯାଇଛି। ଚନ୍ଦ୍ରଯାନ-୨ ପୃଥିବୀର କକ୍ଷରୁ ଚନ୍ଦ୍ର ଅଭିମୁଖେ ଗତି କରୁଛି । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୨ ତାରିଖରେ ଚନ୍ଦ୍ରଯାନ-୨ ସଫଳତାପୂର୍ବକ ପୃଥିବୀର ଚତୁର୍ଥ କକ୍ଷରେ ପ୍ରବେଶ କରିଛି। ଆଉ ୨ ଦିନ ମଧ୍ୟରେ ଚନ୍ଦ୍ରଯାନ-୨ ପୃଥିବୀର ଅନ୍ୟ କକ୍ଷରେ ପ୍ରବେଶ କରିବ।

ସୂନାଯୋଗ୍ୟ, ଜୁଲାଇ ୨୨ରୁ ଚନ୍ଦ୍ରଯାନ-୨ ଅନ୍ତରୀକ୍ଷ ଯାନ ଉତ୍‌କ୍ଷେପଣ କରାଯାଇଥିଲା । ଅଗଷ୍ଟ ୬ ପର୍ଯ୍ୟନ୍ତ ପୃଥିବୀର କକ୍ଷରେ ପରିକ୍ରମା କରିବ। ଏହା ପରେ ଅଗଷ୍ଟ ୧୪ ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚନ୍ଦ୍ରକୁ ଯାଇଥିବା କକ୍ଷରେ ଲମ୍ବା ଯାତ୍ରା ଆରମ୍ଭ କରିବ। ଅଗଷ୍ଟ ୨୦ ତାରିଖରେ ଏହା ଚନ୍ଦ୍ରର କକ୍ଷରେ ପ୍ରବେଶ କରିବ। ଏହାର ୧୧ ଦିନ ପରେ ଅର୍ଥାତ ଅଗଷ୍ଟ ୩୧ରେ ଏହା ଚନ୍ଦ୍ର ଚାରିପଟେ ପରିକ୍ରମା କରିବ। ପୁଣି ସେପ୍ଟେମ୍ଵର ୧ରେ ବିକ୍ରମ ଲ୍ୟାଣ୍ଡର ଅର୍ବିଟରୁ ଅଲଗା ହୋଇଯିବ। ଏହା ପରେ ଦକ୍ଷିଣ ମେରୁ ଅଭିମୁଖେ ଯାତ୍ରା କରିବ। ୫ ଦିନ ଯାତ୍ରା ପରେ ଅର୍ଥାତ ସେପ୍ଟେମ୍ବର ୬ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଅବତରଣର ପ୍ରାୟ ୪ ଘଣ୍ଟା ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ପରୀକ୍ଷାନିରୀକ୍ଷା ଜାରି ରଖିବ ।

ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ ପରେ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ କିଛି ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋ ଗୁଡିକ ଚନ୍ଦ୍ରଯାନ-୨ ପଠାଇଛି ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଚନ୍ଦ୍ରଯାନ-୨ ଏହି ଫଟୋ ପଠାଇନାହିଁ ବୋଲି ଇସ୍ରୋ ପକ୍ଷରୁ ଖଣ୍ଡନ କରାଯାଇଥିଲା।