ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ଗାଇଡଲାଇନ୍କୁ ୩୧ ଜାନୁୟାରୀ ୨୦୨୧ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସର ସଂକ୍ରମଣକୁ କାବୁ କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ପ୍ରକ୍ରିୟାକୁ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଗୃହ ମନ୍ତ୍ରାଳୟ କହିଛି ଯେ, ଯେଉଁ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ପୂର୍ବଭଳି କଣ୍ଟେନମେଣ୍ଟ୍ ଜାରି ରହିବ । ଏହି ସବୁ ଅଞ୍ଚଳରେ କୋଭିଡ୍-୧୯ ଗାଇଡଲାଇନ୍ କଡା ପାଳନ କରାଯିବାକୁ ନିର୍ଦେଶ ଦିଆଯାଇଛି ।
ବର୍ତ୍ତମାନ ଦେଶରେ କରୋନା ଗ୍ରାଫ୍ ଖସୁଥିବା ଦେଖାଯାଉଛି । ଖାସ କରି ବ୍ରିଟେନ୍ରେ ଯେଉଁଭଳି ଭାବେ କରୋନାର ନୂଆ ରୂପ ଦେଖିବାକୁ ମିଳୁଛି ତାହା ନିହାତି ଭାବେ ଚିନ୍ତାଜନକ । ଏଥିପାଇଁ ସତର୍କ ରହିବା ଜରୁରୀ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୯୭ ଲକ୍ଷ ୮୨ ହଜାର ୬୬୯ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସାରିଲେଣି । ଗତ ମାସେ ହେଲା ଦୈନିତ ସଂକ୍ରମଣ ଠାରୁ ସୁସ୍ଥ ହାର ଅଧିକ ରହୁଥିବା ଲକ୍ଷ କରାଯାଇଛି ।
ବର୍ତ୍ତମାନ ଦେଶରେ ୨ ଲକ୍ଷ ୭୭ ହଜାର ୩୦୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଦେଶରେ ମୋଟ କରୋନା ସଂକ୍ରମଣର ୨.୭୨ ପ୍ରତିଶତ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୦୦୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଭାବେ ୨୪ ଘଣ୍ଟା ମଧ୍ୟରେ ୨୧୧୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୭୩୯୭ ରହିଛି ଯାହାକି ବିଶ୍ବର ଆକ୍ରାନ୍ତଙ୍କ ତୁଳନାରେ କମ । ସାରା ବିଶ୍ବରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୧୪୯ ରହିଛି ।
earlier covid19 guidelines extends up to 31st January in india