୨୦୨୧ ଟୋକିଓ ଅଲିମ୍ପିକ୍ସ : ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦଙ୍କୁ ସଫଳତା

ସଫଳତା ଲାଗି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପଟିଆଲା: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ, ପଟିଆଲାରେ ଖେଳା ଯାଉଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସରେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ସଫଳତା । ପ୍ରତିଯୋଗିତା ଆରମ୍ଭ ଦିନରେ ଦୂତୀ ୧୦୦ ମିଟର ରେସରେ ଜିତିଛନ୍ତି । ମହାମାରୀ କରୋନା ପରର ପ୍ରଥମ ଇଭେଣ୍ଟରେ ଦୌଡ଼ରାଣୀ ଦୂତୀଙ୍କୁ ସଫଳତା ୨୦୨୧ ଟୋକିଓ ଅଲିମ୍ପିକ୍ସ ଲାଗି ବାଟ କଢ଼ାଇଛି । ଦୂତୀଙ୍କ ଏହି ସଫଳତା ଲାଗି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ ଭାରତୀୟ ସ୍ପ୍ରିଣ୍ଟରଙ୍କ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଥିରେ ୧୫ଟି ଇଭେଣ୍ଟ ହୋଇଥାଏ । ମହିଳା ଓ ପୁରୁଷ ଉଭୟ ବର୍ଗରେ ୧୦୦ ଓ ୨୦୦ ମିଟର ଦୌଡ଼ ହୋଇଥାଏ । ଏହାଛଡ଼ା ଏଥିରେ ୪୦୦ ମିଟର, ୮୦୦ ମିଟର, ୫୦୦ ମିଟର ଦୌଡ଼ ସହ ୪୦୦ ମିଟର୍ସ ହର୍ଡଲ୍ସ, ଲଙ୍ଗ ଜମ୍ପ, ଟ୍ରିପଲ୍ ଜମ୍ପ ରହିଛି ।
ଏଥିରେ ପାଖାପାଖି ୮୫ ଜଣ ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି । ମହିଳା ବର୍ଗରେ ଦୂତୀ ୧୦୦ ମିଟର ଦୌଡ଼ରେ ସଫଳତା ପାଇଥିବା ବେଳେ ପୁରୁଷ ବିଭାଗରେ ଅମୀୟ କୁମାର ମଲ୍ଲିକ ସଫଳତା ହାସଲ କରିଛନ୍ତି । ଦୂତୀଙ୍କ ଭଳି ଅମୀୟ ଟୋକିଓ ଅଲିମ୍ପିକ୍ସ ଲାଗି ସ୍ଥାନ ପକ୍କା କରିଛନ୍ତି । ଅମୀୟଙ୍କୁ ମଧ୍ୟ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସର ଦ୍ୱିତୀୟ ଇଭେଣ୍ଟ ଫେବ୍ରୁଆରୀ ୨୫ ତାରିଖରେ ଏବଂ ତୃତୀୟ ଇଭେଣ୍ଟ ମାର୍ଚ୍ଚ ୫ରେ ଖେଳାଯିବ ।

dutee chand winning women’s 100m race at the Indian Grand Prix