ଏସିଆନ ଗେମ୍ସ : ୧୦୦ ମିଟର ଦୈଡରେ ଓଡିଆ ଝିଅ ଦୂତିଙ୍କୁ ରୌପ୍ୟ ପଦକ

ଜାକର୍ତା : ଏସିଆନଗେମ୍ସରେ ଓଡିଆ ଝିଅ ଦୂତି ଚାନ୍ଦଙ୍କୁ ବଡ ସଫଳତା ମିଳିଛି । ରବିବାର ଶହେ ମିଟର ଦୈଡରେ ଭାରତ ଲାଗି ରୌପ୍ୟ ପଦକ ହାସଲ କରିଛନ୍ତି ଦୂତି । ଫାଇଲାଲରେ ଦୂତି ୧୧.୩୨ ସେକେଣ୍ଡରେ ୧୦୦ ମିଟର ଦୈଡ ପୁରା କରି ରୌପ୍ୟ ପଦକ ପାଇଛନ୍ତି ।

ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଚାଲିଥିବା ୧୮ ତମ ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଚମକ ପ୍ରଦର୍ଶନ କରିଛନ୍ତି।  ପୂର୍ବରୁ ସେମିଫାଇନାଲ ମୁକାବିଲାରେ ଦୂତି ମହିଳା ୧୦୦ ମିଟର ଟ୍ରାକ ଫାଇନାଲରେ ପ୍ରବେଶ କରିଥିଲେ। ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଦୂତି ୧୦୦ ମିଟର ଟ୍ରାକ୍‌ ହିଟ୍‌-୨ରେ ୧୧.୪୩ ସେକେଣ୍ଡରେ ନିଜର ଲକ୍ଷ୍ୟ ପୂରା କରିଥିଲେ। ଦୂତି ଶନିବାର ସେମିଫାଇନାଲରେ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ।

ଭାରତର ହିମା ଦାସ ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବର ଅଷ୍ଟମ ଦିନରେ ରବିବାର ହିମା ଦାସ ମହିଳା ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ହିମା ଜିବିକେ ଷ୍ଟାଡିୟମରେ ରବିବାର ଆୟୋଜିତ ଫାଇନାଲ ୫୦.୭୯ ସେକେଣ୍ଡରେ ଲକ୍ଷ୍ୟ ପୂରା କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ବାହାରିନ ପ୍ରତିଯୋଗୀ ନାସିର ୫୦.୯ ସେକେଣ୍ଡରେ ୪୦୦ ମିଟର ଦୌଡ଼ ପୂରା କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଖାଜକସ୍ତାନର ଏଲିନା ମିଖିନାଙ୍କୁ କାଂସ୍ୟ ପଦକ ମିଳିଛି। ଏହି ସ୍ପର୍ଦ୍ଧାରେ ଭାରତୀୟ ଆଥଲେଟିକ ନିର୍ମଳାଙ୍କୁ ୪ର୍ଥ ସ୍ଥାନ ମିଳିଛି।

ପୁରୁଷ ୪୦୦ ମିଟର ପ୍ରତିଯୋଗିତାର ଫାଇନାଲରେ ଭାରତର ଧାବକ ମହମ୍ମଦ ଅନସ ୟାହିୟା ରୌପ୍ୟ ପଦକ ଜିତିଛନ୍ତି। ଅନସ ୪୫.୬୯ ସେକେଣ୍ଡରେ ଲକ୍ଷ୍ୟ ପୂରା କରିଥିଲେ। କତାର ପ୍ରତିଯୋଗୀ ଅବ୍ଦାଲେହ ହାସନ ୪୪.୮୯ ସେକେଣ୍ଡରେ ଲକ୍ଷ୍ୟ ପୂରା କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

  • ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

ରୌପ୍ୟ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତି ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନବୀନ କହିଛନ୍ତି, ଭାରତ ପାଇଁ ରୌପ୍ୟ ପଦକ ଆଣିଥିବାରୁ ପ୍ରତ୍ୟେକ ଓଡ଼ିଆ ଗର୍ବ ଅନୁଭବ କରୁଛନ୍ତି।