ଭୁବନେଶ୍ୱର : ଯେଉଁ ପୂଜା ମଣ୍ଡପ ପକ୍ଷରୁ ୭ ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ଆରମ୍ଭ କରାଯାଇଛି ସେ କମିଟିକୁ ସେହି ୭ ଫୁଟର ମୂର୍ତ୍ତି ନିର୍ମାଣ କରିବା ଲାଗି ଅନୁମତି ମିଳିବ । ତେବେ ଏଥିପାଇଁ ସମ୍ପୃକ୍ତ ପୂଜା କମିଟିକୁ ପୁଲିସ ଡିସିପିଙ୍କ ନିକଟରେ ବୁଧବାର ସଂଧ୍ୟା ସୁଦ୍ଧା ଆବେଦନ କରିବାକୁ ପଡ଼ିବ । ପୂଜା କମିଟି ଗୁଡ଼ିକର ଆବେଦନ ପରେ ପୁଲିସ ପ୍ରଶାସନ ପକ୍ଷରୁ ପୂଜା ମଣ୍ଡପ ଯାଞ୍ଚ କରାଯାଇ ମୂର୍ତ୍ତି ଗଢ଼ା କାର୍ଯ୍ୟ ଆଗକୁ ବଢ଼ାଇବା ଲାଗି ଅନୁମତି ମିଳିବ । ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ହାଇକୋର୍ଟ ଏହା କହିଛନ୍ତି ।
ହାଇକୋର୍ଟଙ୍କ ଏହି ରାୟ ଫଳରେ ଦଶହରାରେ ମା’ଦୁର୍ଗାଙ୍କ ମୂର୍ତ୍ତି ୪ ଫୁଟ ଉଚ୍ଚ ହେବ କି ୭ ଫୁଟ ଉଚ୍ଚ ହେବ ତାହାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ଅପରପକ୍ଷରେ, ତିନି ପଟୁ ଆବଦ୍ଧ ମଣ୍ଡପ ଭିତରେ ମା’ଙ୍କର ପୂଜା ହେବ ବୋଲି ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଜାରି କରିଥିଲେ ସେଥିରେ ହାଇକୋର୍ଟ କୌଣସି ପରିବର୍ତ୍ତନ ବା ହସ୍ତକ୍ଷେପ କରିନାହାନ୍ତି । ଫଳରେ ତିନି ପଟୁ ଆବଦ୍ଧ ମଣ୍ଡପରେ ଏ ବର୍ଷ ମା’ଙ୍କ ପୂଜା, ନୀତି ହେବ ବୋଲି ସ୍ପଷ୍ଟ ହୋଇଯାଇଛି । ଏହି ମାମଲାରେ କଟକର ୧୯ଟି ପୂଜା କମିଟି ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟି ପକ୍ଷରୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷଭୁକ୍ତ ହୋଇଥିବାରୁ ସେମାନଙ୍କ କ୍ଷେତ୍ରରେ ଏହି ନିଦେ୍ର୍ଧଶମାମା ଲାଗୁ ହେବ ବୋଲି ଜଣାପଡ଼ିଛି ।