ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ଗାଇଡଲାଇନ୍ ଜାରି

କୋଲକାତା : ପାଖେଇ ଆସିଲାଣି ପାର୍ବଣ ଋତୁ । ଧରା ଅବତରଣ କରିବେ ଜଗତ ଜନନୀ ମା ଦୁର୍ଗା । ତେବେ ଚଳିତ ବର୍ଷ କରୋନା ସଙ୍କଟ କାରଣରୁ ମହା ଆଡମ୍ବରରେ ହେବନି ଦୁର୍ଗାପୂଜା । ଏହି ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଗାପୂଜା ପାଇଁ ଦିଶାନିର୍ଦ୍ଦେଶ ଜାରି କରିଛନ୍ତି ।

ଗାଇଡଲାଇନ ଅନୁଯାୟୀ, ପୂଜା ପଣ୍ଡାଲର ଚତୁଃପାର୍ଶ୍ବ ଖୋଲା ରହିବ । ପେଣ୍ଡାଲର ପ୍ରବେଶ ଦ୍ୱାରରେ ସାନିଟାଇଜର ରହିବା ଜରୁରୀ ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତ୍ୱ ମାନିବ୍ ବାଧ୍ୟତାମୂଳକ । ଦୁର୍ଗା ପୂଜା ସମିତିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଅନୁଦାନ ଦିଆଯିବ । ୮୦ ହଜାର ହକରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯିବ। ଅପରପକ୍ଷରେ ପୂଜା ପେଣ୍ଡାଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ଦିଆଯିବ ନାହିଁ ।

ତେବେ ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ସବୁଠୁ ବଡ ଉତ୍ସବ । ଚଳିତ ବର୍ଷ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପୂଜା ପ୍ରସ୍ତୁତି ଚାଲିଛି ।ରାଜ୍ୟରେ ଏବେ କରୋନା ସଂକ୍ରମଣ ଦୁଇ ଲକ୍ଷ ୩୪ ହଜାର ପାର କଲାଣି । ସେପଟେ ରାଜ୍ୟରେ ସୁସ୍ଥ ହେବା ହାର ୮୭ ପ୍ରତିଶତ ରହିଛି । ଏଯାଏଁ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।