ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’

କଟକ: ଓଡ଼ିଶା ପ୍ରସିଦ୍ଧ କଟକରେ ବିଜୟାଦଶମୀ ମଙ୍ଗଳବାର ଶେଷ ହୋଇଛି। ଆଜି ଭସାଣୀ। ଭସାଣୀକୁ ଠିକ ଭାବରେ ପରିଚାଳନା କରିବା ଏକ ପୁଲିସ ଓ ପ୍ରଶାସନ ଲାଗି ବଡ଼ ଚାଲେଞ୍ଜ। ଏଥି ପାଇଁ  ଯୋରଦାର ପ୍ରସ୍ତୁତି କରିଛି  କମିସନରେଟ୍‌ ପୁଲିସ। କାରଣ ମା’ ଦୁର୍ଗାଙ୍କ ଭସାଣୀ ସମୟରେ ଟ୍ରାଫିକ୍‌ ପରିଚାଳନା କରିବା ଏକ ବଡ ସମସ୍ୟା ହୋଇଥାଏ। ଏଥି ପାଇଁ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି। ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଗାଇଡଲାଇନ୍‌ ଜାରି କରିଛି।

ଟ୍ରାଫିକ୍‌ ପରିଚାଳନା କିପରି ରହିବ କଟକ ଡିସିପି ଅଖିଳେଶ୍ୱର ସିଂହ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି, ବୁଧବାର ଭସାଣୀ ସମୟରେ ୫୭ ପ୍ଲାଟୁନ୍‌ ପୁଲିସ ମୁତୟନ ରହିବେ। ବୁଧବାର ପୂର୍ବାହ୍ଣ ୧୧ଟା ୩୦ରୁ ମଧ୍ୟାହ୍ଣ ୧୨ଟା ମଧ୍ୟରେ ଟ୍ରାଫିକ କଟକଣା ଲାଗୁ କରାଯିବ।

କଲେଜ ଛକ, ଗୌରୀଶଙ୍କର ପାର୍କ, ଜାଉଁଳିଆପଟି, ପୁରୀଘାଟ ଓ ଦେବୀଗଡ଼ାରେ ୫୭ ପ୍ଲାଟୁନ ପୁଲିସ ମୁତୟନ ହେବେ। ଏଥିସହ ୧୬ ପୁସିଙ୍ଗ ଟିମ୍‌ ନିୟୋଜିତ ହେବେ। ସେହିଭଳି ୪୩ ଏଡ-ପୋଷ୍ଟ ଖୋଲାଯିବ । କୌଣସି ଅଘଟଣ ହେଲେ ଏହି ଏଡ-ପୋଷ୍ଟରୁ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ହେବ। ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ଭସାଣୀ ସମୟରେ ଆଇଆଇସି ସ୍ତରୀୟ ଅଧିକାରୀ ଉପସ୍ଥିତ ରହିବେ। ଜରୁରୀକାଳୀନ ପରିସ୍ଥିତି ପାଇଁ ରାପିଡ ଆକ୍ସନ ଫୋର୍ସର ୨ଟି କଂପାନି ମୁତୟନ ରହିବେ।

ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଭସାଣୀ ସମୟରେ ଅସାମାଜିକ ଗତିବିଧି, ଚୋରି ଉପରେ ପୁଲିସ ନଜର ରଖିବ। କିଛି ପୁଲିସ ସାଧାରଣ ପୋଷାକରେ ଉପସ୍ଥିତ ରହିବେ। ଏମାନେ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବେ।